ବେଙ୍ଗଲରେ ସିବିଆଇ ଆକ୍ଟିଭ୍‌ : ନିର୍ବାଚନୀ ପରବର୍ତ୍ତୀ ହିଂସା ଘଟଣାର ଜୋରଦାର ଯାଞ୍ଚ, ଦୁଷ୍କର୍ମ ଓ ହତ୍ୟା ଘଟଣାର ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | August 20, 2021 IST

କୋଲକାତା ୨୦/୦୮ : ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ହୋଇଛି । ତଦନ୍ତ ଭାର ହସ୍ତାନ୍ତର ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଆକ୍ଟିଭ୍‌ ହୋଇଯାଇଛି CBI । ବେଙ୍ଗଲ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ମାମଲାର ତଥ୍ୟ ମାଗିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପଶ୍ଚିମବଙ୍ଗର ପୋଲିସ ଡିଜିଙ୍କୁ ଏ ବାବଦରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ଦେବାକୁ ସିବିଆଇ ନିର୍ଦେଶ ଦେଇଛି ।

ପଶ୍ଚିମବଙ୍ଗରେ ଗତ ବିଧାନସଭା ନିର୍ବାଚନ ପରେ ହୋଇଥିବା ହିଂସାକାଣ୍ଡ ଏବଂ ଦୁଷ୍କର୍ମ ଘଟଣାକୁ ନେଇ ଗତ ଗୁରୁବାର ଦିନ ସିବିଆଇ ତଦନ୍ତ ଏବଂ ଏସ୍‌ଆଇଟି ତଦନ୍ତ ନିର୍ଦେଶ ଦେଇଥି​‌ଲେ କୋଲକାତା ହାଇକୋର୍ଟ । ସେପଟେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଆରମ୍ଭରୁ ହିଁ ସିବିଆଇ ତଦନ୍ତକୁ ବିରୋଧ କରିଆସୁଛି । କିନ୍ତୁ ଏହାକୁ ଖାରଜ କରି କୋର୍ଟ ଏହି ନିର୍ଦେଶ ଦେଇଛନ୍ତି ।

ତେବେ ବର୍ତ୍ତମାନ ହାଇକୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅପିଲ କରିବାକୁ କହିଛି ତୃଣମୂଳ କଂଗ୍ରେସ । ଟିଏମ୍‌ସି ସାଂସଦ ସୌଗତ ରାୟ କହିଛନ୍ତି, ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ଦଳ ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହେବ ଏବଂ ସିବିଆଇ ତଦନ୍ତ ନିର୍ଦେଶକୁ ଖାରଜ କରିବାକୁ ଆବେଦନ କରିବ ।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଭୟଙ୍କର ସ୍ଥିତି ଉପୁଜିଥିଲା । ହତ୍ୟା, ଆକ୍ରମଣ, ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ, ଅନେକ ଲୋକ ଗାଁ ଛାଡି ଅନ୍ୟ ରାଜ୍ୟ ଶରଣ ପସିଥିଲେ । ଅନେକ ଘ​‌ରେ ଦୁର୍ବୃତ୍ତମାନେ ପୋଡାଜଳା କରିବା ସହିତ ଭଙ୍ଗାରୁଜା କରିଥିଲେ । ଏଥିରେ ପ୍ରାୟତଃ ତୃଣମୂଳ କଂଗ୍ରେସର କର୍ମୀମାନେ ହିଁ ସଂପୃକ୍ତ ଥିବା ନେଇ ଅଭିଯୋଗ କରିଥିଲା ବିଜେପି । ଏହା ସହିତ ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେବାକୁ କୋଲକାତା ହାଇକୋର୍ଟରେ ଆବେଦନ କରିଥିଲା ରାଜ୍ୟ ବିଜେପି । ଆବେଦନା ଶୁଣାଣି କରି ଗତ ଗୁରୁବାର ଦିନ ଘଟଣାର ସିବିଆଇ ତଦନ୍ତ କରାଇବାକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.