ମମତାଙ୍କ ବିରୋଧରେ ହଲ୍ଲାବୋଲ: ପୋଲିସ-ବିଜେପି କର୍ମୀ ମୁହାଁମୁହିଁ, ଅଧିକାରୀ କହିଲେ-‘ପଶ୍ଚିମବଙ୍ଗକୁ ଉତ୍ତର କୋରିଆ କରିଦେଲେ’
13/09/2022 at 4:05 PM

କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ବିରୋଧରେ ବିଜେପି ପ୍ରଦର୍ଶନ ଏବେ ଉଗ୍ର ରୂପ ନେଇଛି । ସୂଚନା ଅନୁସାରେ, ହାୱଡାରେ ପ୍ରଦର୍ଶନକାରୀ ବ୍ୟାରିକେଡିଂ ଭାଙ୍ଗି ଆଗକୁ ବଢୁଛନ୍ତି । ଅନ୍ୟପଟେ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ ୱାଟର କ୍ୟାନନ ବ୍ୟବହାର କରିଛି । ପ୍ରଦର୍ଶନ ପ୍ରଥମେ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିଲା, କିନ୍ତୁ ପରେ ଉଗ୍ରରୂପ ଧାରଣ କରିଛି । ଅନ୍ୟପଟେ ରାଜ୍ୟର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ, ବିଜେପି ସାଂସଦ ଲକେଟ ଚାଟାର୍ଜୀଙ୍କ ସହ ବହୁ ନେତା ଏବଂ କର୍ମୀଙ୍କୁ ପୋଲିସ ହେପାଜତକୁ ନେଇଛି।
ଟିଏମସିର କଥିତ ଦୁର୍ନୀତିଗ୍ରସ୍ତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ବିଜେପି । ଦୁଇ ଦିନ ପୂର୍ବେ ବିଜେପି ଏହି ସମାନ ଦାବି ନେଇ ରାଲି ବାହାର କରିଥିଲା । ଏହି ରାଲିରେ ଦୁଇଟି ଦେଶି ବୋମା ମାଡ କରାଯାଇଥିଲା। ଏଥିରେ ଦୁଇ ବିଜେପିକର୍ମୀ ଆହତ ହୋଇଥିଲା। ପରେ ବିଜେପି ଏବଂ ଟିଏମସି ମଧ୍ୟରେ ରାଜନୈତିକ ବୟାନବାଜି ଜୋର ହୋଇଥିଲା । ଏହାପରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଥିଲା ବିଜେପି।
#WATCH | West Bengal: Police use water cannons and tear gas shells to stop and disperse BJP workers in Santragachhi area of Howrah, amid their call for Nabanna Chalo march.
— ANI (@ANI) September 13, 2022
(Video Source: BJP) pic.twitter.com/du2fp9oOFi
ନବାନ୍ନ ଚଲୋ ମାର୍ଚ୍ଚକୁ ସଡକ ପଥରେ ଅନୁମତି ନ ଦିଆଯିବା ପରେ ବିଜେପି କର୍ମୀ ନଦୀ ପାର କରି କୋଲକାତା ପହଞ୍ଚିବାକୁ ପ୍ରସାୟ କରିଛନ୍ତି । ବିଜେପିର କର୍ମୀ ହାତରେ ଦଳର ପତାକା ଧରି ଡଙ୍ଗା ସାହାଯ୍ୟରେ ନଦୀ ପାର କରୁଛନ୍ତି । ନବାନ୍ନ ଚଲୋ ମାର୍ଚ୍ଚକୁ ଆହ୍ୱାନ ମଧ୍ୟରେ ହାୱଡାରେ ସନ୍ତରାଗାଛି ଅଞ୍ଚଳରେ ବିଜେପି କର୍ମୀଙ୍କୁ ଅଟକାଇବା ସହ ଭିଡକୁ ଏଡାଇବା ପାଇଁ ପୋଲିସ ପାଣି ମାଡ କରିବା ସହ ଲୁହ ବୁହା ଗ୍ୟାସ ମାଡ କରିଛନ୍ତି । ଏହି ସମୟରେ ବିଜେପିର କର୍ମୀ ପଥର ମାଡ କରିଥିଲେ । କିଛି ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି ।