ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ, ଦଳରୁ ମଧ୍ୟ ଦେଇପାରନ୍ତି ଇସ୍ତଫା : ଏହି ଦଳରେ ମିଶିବା ନେଇ ଚର୍ଚ୍ଚା

Published By : Prameya-News7 Bureau | November 27, 2020 IST

କୋଲାକାତା ୨୭/୧୧ : ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୂ ତୃଳମୂଳ କଂଗ୍ରେସ ଦଳକୁ ଲାଗିଛି ଶକ୍ତ ଝଟକା । ମମତାଙ୍କ ଟିମରୁ ଜଣେ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମଳିଛି । ଦଳର ନେତା ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମମତା ସରକାରରେ ପରିବହନ ମନ୍ତ୍ରୀ ଥିବା ଶୁଭେନ୍ଦୁ ଗତ କିଛି ଦିନ ହେବ ବିଦ୍ରୋହୀ ଆଚରଣ କରୁଥିଲେ ।

{"id":368468,"width":575,"height":375,"sizeSlug":"large"}

ଶୁଭେନ୍ଦୁ ଅଧିକାରୀ ପରିବହନ ମନ୍ତ୍ରୀ ଥିଲେ ଏବଂ ଦଳ ଭିତରେ ତାଙ୍କର ଦବଦବା ମଧ୍ୟ ରହିଛି ।  ପଶ୍ଚିମବଙ୍ଗ ରାଜନୀତିରେ ସେ ଜଣେ ଜଣାଶୁଣା ଚେହେରା ମଧ୍ୟ । ତେବେ ହଠାତ ସେ ଇସ୍ତଫା ଦେବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପାର୍ଟିର ଅନ୍ୟ ସଦସ୍ୟ । ତେବେ ଗତ କିଛିଦିନ ହେବ ଶୁଣିବାକୁ ମିଳୁଛି ଯେ, ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇପାରନ୍ତି ।  ସେଥିପାଇଁ ସେ ମନ୍ତ୍ରୀ ପଦ ଛାଡିଛନ୍ତି ଏବଂ ଆଗକୁ ଦଳରୁ ମଧ୍ୟ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ସେ ପୂର୍ବରୁ ହୁଗୁଳୀ ରିବର ବ୍ରିଜ୍ କମିଶନର ଭାବେ କାର୍ଯ୍ୟକରୁଥିଲେ । ତେବେ ଗତ ଗୁରୁବାର ଦିନ ସେ କମିଶନର ପଦବୀରୁ ଇସ୍ତଫା ଦେଇଥିଲେ ଏବଂ ଆଜି ମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇସ୍ତଫା ଦେବା ଅବସରରେ ସେ ଲେଖିଛନ୍ତି, ‘ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି, ମୁଁ ରାଜ୍ୟପାଳଙ୍କୁ ମଧ୍ୟ ଏ ବାବଦରେ ସୂଚନା ଦେଇସାରିଛି । ଆପଣ ରାଜ୍ୟର ସେବା କରିବାକୁ ସୁଯୋଗ ଦେଇଛନ୍ତି, ସେଥି ପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ’ ।

ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି ବେଶ ସକ୍ରିୟ ହେଉଥିବା ଦେଖାଯାଇଛି । ବିଜେପି ଦାବି କରିଛି ଯେ ଟିଏମସିରୁ ଅନେକ ସଂଖ୍ୟାରେ ନେତା ଏବଂ କର୍ମୀ ଇସ୍ତଫା ଦେଇ ଆମ ଦଳରେ ସାମିଲ ହେବାକୁ ଚାହୁଁଛନ୍ତି । ତେଣୁ ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଘଟଣା ମଧ୍ୟ ତାହା ଇଙ୍ଗିତ କରୁଛି ।

ମିଳିଥିବା ସୂଚନା ଅନୁସାରେ ଟିଏମସି ବିଧାୟକ ମିହିର ଗୋସ୍ବାମୀ ଶୁକ୍ରବାର ବିଜେପିରେ ସାମିଲ ହେବେ । ଏ​‌ବେ ସେ ଦିଲ୍ଲୀରେ ଅଛନ୍ତି ଏବଂ ବିଜେପି ସାଂସଦ ନିଶିତଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବା ନେଇ ସୂଚନା ମିଳିଛି । ମିହିର ଗୋସ୍ବାମୀ ୧୯୯୮ ମସିହାରୁ ଟିଏମସି ସହିତ ଥିଲେ କିନ୍ତୁ ଏବେ ସେ ମମତାଙ୍କ ଦଳ ଛାଡି ଗେରୁଆ କ୍ୟାମ୍ପରେ ସାମିଲ ହେବେ । ତେବେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେଉଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.