ଟିଏମ୍‌ସି ନେତା ଅଖିଳ ଗିରିଙ୍କ ବିରୋଧରେ ମେଗା ରାଲିର ଆୟୋଜନ କରିବ ବିଜେପି

Published By : Prameya-News7 Bureau | November 19, 2022 IST

କୋଲକାତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ପାଇଁ ଟିଏମ୍‌ସି ନେତା ଅଖିଳ ଗିରିଙ୍କ ବିରୋଧରେ ବିକ୍ଷୋବ ରାଲି କରିବ ବିଜେପି। ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ଏହି ମେଗା ରାଲିରେ ନେତୃତ୍ୱ ନେବେ।

ନଭେମ୍ବର ୨୧ ତାରିଖରେ ବିଜେପି ଏହି ମେଗା ରାଲିର ଆୟୋଜନ କରିବ। ରାଲି ଆରମ୍ଭ ହୋଇ ପଶ୍ଚିମବଙ୍ଗ ବିଧାନସଭାରେ ଶେଷ ହେବ। କାରଣ ସେହିଦିନ ବିଧାନସଭା ଅଧିବେଶନ ବସୁଥିବାରୁ ଅଖିଳ ଗିରି ମଧ୍ୟ ଏଥିରେ ଯୋଗ ଦେବେ। ଏହାକୁ ନଜରରେ ରଖି ବିଜେପି ଏହି ରାଲିର ଆୟୋଜନ କରିଛି।  

ନିକଟରେ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ଅପମାନଜନକ ଟିପ୍ପଣୀ କରିଥିଲେ। ଯାହାକୁ ନେଇ ବିଜେପି ନିନ୍ଦା କରିବା ସହିତ ଟିଏମ୍‌ସି ମଧ୍ୟ ଅଖିଳଙ୍କ ମନ୍ତବ୍ୟକୁ ସମର୍ଥନ କରିନଥିଲା ଅନ୍ୟପଟେ ରାଷ୍ଟ୍ରପତିଙ୍କ ବିରୋଧରେ ମନ୍ତବ୍ୟ ପାଇଁ ହୁଗୁଳି ବିଜେପି ସାଂସଦ ଅଖିଳ ଗିରିଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଥିଲେ।

ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଅଖିଳ ଗିରି ରାଷ୍ଟ୍ରପତିଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏଥିରେ ସେ କହିଥିଲେ “ ସେମାନେ(ବିଜେପି) କହୁଛନ୍ତି ମୁଁ ଭଲ ଦେଖାଯାଉ ନାହିଁ। କାହାର ରୂପକୁ ନେଇ ଆମେ ଜଜ୍ କରିପାରିବା ନାହିଁ। ଆମ ରାଷ୍ଟ୍ରପତିଙ୍କ ପ୍ରତି ଆମର ସମ୍ମାନ ଅଛି। ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?”

ଅଖିଳ ଗିରିଙ୍କର ଏଭଳି ବିବାଦୀୟ ବୟାନ ପରେ ତମ୍ବିତୋଫାନ କରିଥିଲା ବିଜେପି। ନଭେମ୍ବର ୧୩ ତାରିଖରେ ରାସ୍ତାର ଅବରୋଧ ମଧ୍ୟ କରାଯାଇଥିଲା। ଚାପରେ ଚେପା ହୋଇ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଶେଷରେ କ୍ଷମା ପ୍ରାର୍ଥନା କରିଥିଲେ।

ଏନେଇ ସେ କହିଥିଲେ “ରାଷ୍ଟ୍ରପତିଙ୍କ ବିରୋଧରେ ମୋ ବିଧାୟକ ଯାହା କହିଛନ୍ତି ଏଥିପାଇଁ ମୁଁ କ୍ଷମା ମାଗୁଛି। ମୋ ଦଳ ରାଷ୍ଟ୍ରପତିଙ୍କୁ ସମ୍ମାନ ଦିଏ ଓ ଏନେଇ ପୂର୍ବରୁ କ୍ଷମା ମାଗିସାରିଛି। ” ତା ସହିତ ଦଳ ଗିରିଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହିତ ଆଦୌ ସମର୍ଥନ ଦେଉ ନାହିଁ ବୋଲି ମମତା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.