ସୌରଭ ଗାଙ୍ଗୁଲିଙ୍କୁ ‘କୋଲକାତା ଶରିଫ’ ପଦରେ ନିଯୁକ୍ତି କରିବାକୁ ଦାବି କଲା ବିଜେପି
25/05/2023 at 9:43 PM

କୋଲକାତା: ଯେବେ ଠାରୁ ସୌରଭ ଗାଙ୍ଗୁଲି ତ୍ରିପୁରା ପର୍ଯ୍ୟଟନ ବିଭାଗର ଆମ୍ବାସାଡର ହେଲେଣି ତାଙ୍କୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଥମିବାର ନାଁ ନେଉ ନାହିଁ। ରାଜ୍ୟରେ ଗାଙ୍ଗୁଲିଙ୍କୁ ଉଚିତ ସମ୍ମାନ ମିଳି ନାହିଁ ବୋଲି କହି ବିଜେପି ମମତାଙ୍କୁ ଘେରୁଥିବା ବେଳେ ଗାଙ୍ଗୁଲି କିନ୍ତୁ ତାଙ୍କୁ ନେଇ ହେଉଥିବା ରାଜନୀତିକୁ ବିରୋଧ କରୁଛନ୍ତି।
ଏବେ ପୁଣି ଗାଙ୍ଗୁଲିଙ୍କୁ ନେଇ ଆଉ ଏକ ଦାବି କରିଛି ବିଜେପି। ସୌରଭ ଗାଙ୍ଗୁଲିଙ୍କୁ ‘ଶରିଫ ଅଫ୍ କୋଲକାତା’ ବନାଯାଉ ବୋଲି ବେଙ୍ଗଲ ବିଜେପି ସଭାପତି ସୁକାନ୍ତ ମଜମୁଦାର ଦାବି କରିଛନ୍ତି। ଗାଙ୍ଗୁଲିଙ୍କୁ ବେଙ୍ଗଲରେ ପର୍ଯ୍ୟଟନ ଆମ୍ବାସାଡର କରାଗଲାନି, ହେଲେ ତ୍ରିପୁରାରେ କରାଗଲା। ସେ ନେଇ ମମତା ସରକାରଙ୍କୁ ଘେରିଛି ବିଜେପି।

ଏନେଇ ସୁକାନ୍ତ ମଜମୁଦାର କହିଛନ୍ତି “ସୌରଭ ଗାଙ୍ଗୁଲି ଜଣେ ଆଇକନ। ବେଙ୍ଗଲ ଓ ବଙ୍ଗଳୀ ଲୋକମାନେ ତାଙ୍କ ଉପରେ ଗର୍ବ କରନ୍ତି। ତ୍ରିପୁରା ପୂର୍ବରୁ ପଶ୍ଚିମବଙ୍ଗ ସରକାର ସୌରଭ ଗାଙ୍ଗୁଲିଙ୍କୁ ପର୍ଯ୍ୟଟନ ବିଭାଗରେ ଆମ୍ବାସାଡର କରିବାର ଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଯେ ମମତା ସରକାର ତାଙ୍କୁ ଏ କ୍ଷେତ୍ରରେ ଏକ ସୁଯୋଗ ବି ଦେଲେନି। ତ୍ରିପୁରାରେ ମଧ୍ୟ ବହୁ ସଂଖ୍ୟାରେ ବେଙ୍ଗଲୀ ଲୋକ ଅଛନ୍ତି। ତାଙ୍କୁ ତ୍ରିପୁରା ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ୍ ଆମ୍ବାସାଡର ହେବାର ଦେଖି ଆମେ ଖୁସି। ସୌରଭ ଗାଙ୍ଗୁଲିଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ତ୍ରିପୁରା ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ୍ ଆମ୍ବାସାଡର ଚୟନ କରିଥିବାରୁ ଆମେ ତ୍ରିପୁରା ସରକାରଙ୍କୁ ଧନ୍ୟବାଦ ଦେଉଛୁ।” ଗାଙ୍ଗୁଲିଙ୍କୁ ଅତନ୍ତପକ୍ଷେ ନଗର ନିଗମର ଶରିଫ ଭାବେ ନିଯୁକ୍ତି ଦେବା ଦରକାର। କାରଣ ଏହି ପଦ ଖାଲି ପଡ଼ିଛି ବୋଲି ସୁକାନ୍ତ ମଜମୁଦାର କହିଛନ୍ତି।

ସୂଚନା ଥାଉକି ମଙ୍ଗଳବାର ତ୍ରିପୁରା ପର୍ଯ୍ୟଟନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ କୋଲକାତା ଆସି ସୌରଭ ଗାଙ୍ଗୁଲିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ତ୍ରିପୁରା ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ୍ ଆମ୍ବାସାଡର ହେବାକୁ ପ୍ରାସ୍ତାବ ଦେଇଥିଲେ। ଗାଙ୍ଗୁଲି ମଧ୍ୟ ଏଥିରେ ରାଜି ହୋଇଥିଲେ। ଯାହାକୁ ନେଇ ବିଜେପି-ଟିଏମ୍ସି ମଧ୍ୟରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି।
ସୂଚନା ଥାଉକି, ଶରିଫ କୋଲକାତା ଏକ ଅରାଜନୈତିକ ପଦ। ରାଜ୍ୟରେ କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ପଦରେ ସମ୍ମାନିତ କରାଯାଇଥାଏ। ଶରିଫ କୋଲକାତାର ହାଇକୋର୍ଟରେ ଏକ କାର୍ଯ୍ୟାଳୟ ଓ କର୍ମଚାରୀ ରହିଛି। ହେଲେ ଏହାର କାର୍ଯ୍ୟକାରିତା ଶକ୍ତି ନାହିଁ। ବ୍ରିଟିଶ ସରକାର ଅମଳରୁ ଏହି ପଦବୀ ରହିଛି।