ବାହା ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିରଙ୍କ ଝିଅ ବଖତ୍ବାର ଭୁଟ୍ଟୋ ଜର୍ଦ୍ଦାରୀ, ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥି
28/11/2020 at 5:17 PM

ଇସଲାମାବାଦ ୨୮/୧୧ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ଝିଅ ବଖତ୍ବାର ଭୁଟ୍ଟୋ ଜର୍ଦ୍ଦାରୀ ବିବାହ କରିବାକୁ ଯାଉଛନ୍ତି । ଗତ ଶୁକ୍ରବାର ଦିନ ମେହେମୁଦ ଚୌଧୁରୀଙ୍କ ସହିତ ବଖତ୍ବାର ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଛି । ମେହେମୁଦ ଚୌଧୁରୀ ହେଉଛନ୍ତି ଆମେରିକାର ବ୍ୟବସାୟୀ ୟୁନିସ୍ ଚୌଧୁରୀଙ୍କର ପୁଅ ।

କରାଚିର ବିଲାୱାଲ ହାଉସ୍ ପରିସରରେ ଅତିଥିମାନଙ୍କ ଉପସ୍ଥିତିରେ ବଖତ୍ବାର ଭୁଟ୍ଟୋ ଏବଂ ମେହେମୁଦ ଚୌଧୁରୀଙ୍କ ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ଅତି କମରେ ୧୦୦ ରୁ ୧୫୦ ଅତିଥି ଯୋଗ ଦେଇଥିଲେ । ଅକ୍ଟୋବରରେ କରାଚିର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ବଖଟୱାରଙ୍କ ପିତା ଆସିଫ ଅଲ୍ଲୀ ଜର୍ଦ୍ଦାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ସମାରୋହରେ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିବା ଅତିଥିମାନଙ୍କ ମଧ୍ୟରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା, ବରିଷ୍ଠ ରାଜନେତା, ରିଅଲ୍ ଇଷ୍ଟେଟ୍ ଟାଇକନ୍, ବ୍ୟବସାୟିକ ପ୍ରତିଷ୍ଠାତା, ବିଶିଷ୍ଟ ଆଇନଜୀବୀ, କିଛି ବିଧାୟକ ଏବଂ ଘନିଷ୍ଠ ସମ୍ପର୍କୀୟ ରହିଥିଲେ ।

ତେବେ ସପ୍ତାହେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ବୁଖତ୍ବାରଙ୍କ ଭାଇ ବିଲାୱାଲ ଭୁଟ୍ଟୋ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଉତ୍ସବରେ ସାମିଲ ହୋଇଥିଲେ । ପରେ ବଖତ୍ବାର ଭୁଟ୍ଟୋ ତାଙ୍କ ଭାବୀ ସ୍ବାମୀ ମେହେମୁଦ ଚୌଧୁରୀଙ୍କ ସହିତ ତାଙ୍କ ମା ବେନଜିର ଭୁଟ୍ଟୋଙ୍କ ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ।