ବୈତରଣୀ ପୋଲ ଗୁଳିକାଣ୍ଡ ମାମଲା: ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
31/12/2022 at 10:53 PM

ପାଟଣା ୩୧/୧୨: ବୈତରଣୀ ପୋଲ ଗୁଳିକାଣ୍ଡ ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ତୁରୁମୁଙ୍ଗା ପୋଲିସ। ଏହି ଅଭିଯୁକ୍ତଙ୍କୁ ମିଶାଇ ମୋଟ୍ ୪ ଜଣଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ତାରିଣୀ ଗୋପ। ସେ ଝାଡ଼ଖଣ୍ଡ ପଶ୍ଚମସିଂଭୂମ ଜିଲ୍ଲା ଜଗନ୍ନାଥପୁର ଥାନା ତରାଙ୍ଗହାତୁ ଗାଁର ବାସିନ୍ଦା।
ସୂଚନା ଥାଉକି, ଗତ ସେପ୍ଟେମ୍ବର ୧୨ରେ ୨ଟି ଡ଼କାୟତ ଗ୍ୟାଙ୍ଗର ପତିଆରା ଜାହିର କରିବାକୁ ଛଣପଦାର ମୃତ୍ୟୁଞ୍ଜୟ ବେହେରା (ଲେଲେ)ଙ୍କୁ ୧୦ଜଣରୁ ଅଧିକ ଦୁର୍ବୃତ୍ତ ସ୍କୋର୍ପିଓ ଗାଡ଼ିରେ ଆସି ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ଲେଲେଙ୍କର ମୃତ୍ୟୁ ହୋଇଥିଲା। ଏନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ନମ୍ୱର ୧୩୯/୨୨ ମୂଳେ ମାମଲା ରୁଜୁ ହୋଇ ପୋଲିସ୍ ତଦନ୍ତ କରୁଥିଲା।
ଶୁକ୍ରବାର ରାତିରେ ବାରିଆ ଥାନାଧିକାରୀ ବନ୍ଦନା ପାତ୍ର ତୁରୁମୁଙ୍ଗା ଥାନାଧିକାରୀ ମଦନ ମୋହନ ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ତାରିଣୀ ଗୋପ ଗାଁରେ ଚଢ଼ଉ କରି ଅଭିଯୁକ୍ତକୁ ଘରୁ ଗିରଫ କରିଥିଲେ। ଗୁଳିକାଣ୍ଡ ଘଟଣାରେ ଏଯାଏଁ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।