ଭାକ୍ସିନ ପୂର୍ବରୁ ଆସିଲା WHOଙ୍କ ଖୁସି ଖବର, କହିଲେ ଏବେ ଆପଣ ଦେଖିପାରନ୍ତି Covid ମୁକ୍ତ ବିଶ୍ୱର ସ୍ୱପ୍ନ !
5/12/2020 at 4:28 PM

ନ୍ୟୁୟର୍କ ୫।୧୨: କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି। ଏଥିରେ ପରିସ୍ଥିତିର ମୁକାବିଲା ଲାଗି ଚାଲିଥିବା ଟିକା ଗବେଷଣା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଆମେ କରୋନା ସମାପ୍ତିର ସ୍ୱପ୍ନ ଦେଖିପାରିବା ବୋଲି କହିଛନ୍ତି। କରୋନା ବିରୋଧରେ ବିଭିନ୍ନ ଟିକାର ସଫଳ ପରୀକ୍ଷଣକୁ ଦୃଷ୍ଟିରେ ରଖି ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଡା.ଟଡ୍ରୋସ୍ ଅଦନୋମ ଘେବ୍ରେୟସସ୍ ଏହା କହିଛନ୍ତି।
କୋଭିଡ-୧୯ ନେଇ ୟୁଏନ ଜେନରାଲ ଆସେମ୍ବ୍ଲିକୁ ଅନଲାଇନ ସମ୍ବୋଧିତ କରି ସେ କହିଛନ୍ତି ଯେ ଆଧୁନିକ ବିଶ୍ୱରେ ମହାମାରୀ ମାନବତାର ମହାନତା ଓ ହୀନମନ୍ୟତା ଉଭୟକୁ ପ୍ରଦର୍ଶିତ କରିଛି। ମହାମାରୀରେ ଜଣେ ଜଣକ ପ୍ରତି ଦେଖାଇଥିବା କରୁଣା, ଆତ୍ମ ବଳିଦାନ ଓ ଏକତା ଇତିହାସର ଅମର ଅକ୍ଷରରେ ଲିପିବଦ୍ଧ ହୋଇଥିବା ବେଳେ ଏହାର ବିପରୀତରେ ଯେଉଁଠି ବିଜ୍ଞାନ କନସ୍ପିରେସି ଥିଓରୀରେ ପରିଚାଳିତ ହୋଇ ବିଭାଜନ ଓ ସ୍ୱାର୍ଥଲାଗି କାର୍ଯ୍ୟ କରିଛି ମହାମାରୀ ସେଠାରେ ଘର କରିଯାଇଛି ବୋଲି ଡା. ଟେଡ୍ରୋସ କୌଣସି ଦେଶଙ୍କ ନାମ ନ ନେଇ କହିଛନ୍ତି।
ତେବେ ଟିକା ଆସିଥିଲେ ବି ଆଗକୁ ରାସ୍ତା ଅବିଶ୍ୱାସର ଅନ୍ଧାରରେ ବୁଡି ରହିଥିବା ଡା.ଟେଡ୍ରୋସ କହିଛନ୍ତି। ତଥାପି ବି ଭୂତାଣୁକୁ ରୋକା ଯାଇ ପାରିବ ବୋଲି ସେ କହିଛନ୍ତି । ତେବେ ଟିକା ଆମର ସେଇ ସବୁ ସଂକଟକୁ ଦୂର କରିପାରିବନି ଯାହା ଆମ ଭିତରେ ଘର କରି ରହିଯାଇଛି ଯେପରି କ୍ଷୁଧା, ଦାରିଦ୍ର୍ୟତା ଓ ଅସମଞ୍ଜସତା। ମହାମାରୀ ପରେ ପୁଣି ଥରେ ଆମ ସମସ୍ତଙ୍କୁ ଏହା ବିରୋଧରେ ନୂଆକରି ସଂଘର୍ଷ ଆରମ୍ଭ କରିବାକୁ ପଡିବ ବୋଲି ଡା.ଟଡ୍ରୋସ କହିଛନ୍ତି।
ସେ କହିଛନ୍ତି ଯେ ବିନା ନୂଆ ପାଣ୍ଠିରେ ଡବ୍ଲୁଏଚଓଙ୍କ ଏସିଟି ଏକ୍ସେଲେଟର କାର୍ଯ୍ୟକ୍ରମ ଏବେ ବିପଦରେ । ଏଣୁ ସମ୍ପୂର୍ଣ୍ଣ ପାରଦର୍ଶିତାରେ ଟିକା ବିକାଶ କରିବା ଏବେ ଆମ ପକ୍ଷେ ସମ୍ଭବ ନୁହେଁ। ସେହିପରି ଟିକାର ତତ୍କାଳ କ୍ରୟ ଓ ବିତରଣ ଲାଗି ୪.୩ ବିଲିୟନ ଡଲାରର ଆବଶ୍ୟକତା ଅଛି। ଏଥିପାଇଁ ମଧ୍ୟ ଡବ୍ଲୁଏଚଓଙ୍କ ନିକଟରେ ପାଣ୍ଠି ନାହିଁ । ସେହିପରି ୨୦୨୧ ବର୍ଷ ଲାଗି ଅଧିକ ୨୩.୯ ବିଲିୟନ ଡଲାରର ଆବଶ୍ୟକତା ପଡିବ। ବିଶ୍ୱର ୨୦ ଧନୀ ଦେଶଙ୍କ ଦ୍ୱାର ଘୋଷିତ କରୋନା ପ୍ୟାକେଜର ଏହା ମାତ୍ର ଏକ ପ୍ରତିଶତରୁ ମଧ୍ୟ କମ୍। ଏଣୁ ଏ ଦିଗରେ ଆବଶ୍ୟକ ସହାୟତା ମିଳିଲେ ଡବ୍ଲୁଏଚଓ ସୁରୁଖୁରୁରେ କାମ ତୁଲେଇପାରିବ ବୋଲି ଡା. ଟେଡ୍ରୋସ କହିଛନ୍ତି ।