ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୋରବି ହସ୍ପିଟାଲ୍‌ରେ ରାତିସାରା ଚାଲିଲା ରଙ୍ଗବୋଳା କାମ, ବିରୋଧୀ କହିଲେ- ଫଟୋ ସୁଟ୍‌ର ପ୍ରସ୍ତୁତି

Published By : Prameya-News7 Bureau | November 01, 2022 IST

ମୋରବି: ଗୁଜରାଟର ମୋରବିରେ ଝୁଲା ପୋଲ ଛିଣ୍ଡିଯିବାରୁ ୧୩୪ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମୋରବିର ସିଭିଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆଉ ଏହି ହସ୍ପିଟାଲ୍‌ ଗସ୍ତ କରି ଆଜି ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ମଧ୍ୟରେ ହସ୍ପିଟାଲ୍‌କୁ ଚହଟ ଚିକ୍କଣ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରଙ୍ଗ ବୋଳା କାମ ଚାଲିଛି। ବିଳମ୍ବିତ ରାତିରେ ଚାଲିଥିବା କାମର ଫଟୋ ସାମାଜିକ ଗଣମାଧ୍ୟମରେ ଜାରି କରି ବିଜେପିକୁ ଜୋରଦାର ଆକ୍ରମଣ କରିଛି କଂଗ୍ରେସ। ଆମ୍ ଆଦମୀ ପାର୍ଟି ମଧ୍ୟ ଫଟୋସୁଟ୍ ପାଇଁ ଏମିତି କାମ ଚାଲିଥିବା କହିଛି।

ଗୁଜରାଟର ମୋରବିର ସିଭିଲ ହସ୍ପିଟାଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ପୂର୍ବରୁ ରାତି ସାରା ହସ୍ପିଟାଲ୍‌ରେ ରଙ୍ଗବୋଳା କାମ ଚାଲିଛି। ଏହି ହସ୍ପିଟାଲ୍‌ରେ କେବଳ ମୋରବି ଝୁଲାପୋଲ ଘଟଣାର ଆହତମାନଙ୍କୁ ଭର୍ତ୍ତି କରାଯାଇଛି। କଂଗ୍ରେସ ଏବଂ ଆପ୍ ସିଭିଲ୍ ହସ୍ପିଟାଲର ଜରାଜୀର୍ଣ୍ଣ ଫଟୋ ସେୟାର କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଫଟୋ ସୁଟ୍ ପାଇଁ ଏମିତି ପ୍ରସ୍ତୁତି ଚାଲିଛି।

wp:html /wp:html

କଂଗ୍ରେସ ପାର୍ଟି ମରାମତି କାର୍ଯ୍ୟକୁ ଘୋର ନିନ୍ଦା କରି କହିଛି ଯେ, ଏହା ଟ୍ରାଜେଡିର ଇଭେଣ୍ଟ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ମୋରବିର ସିଭିଲ ହସ୍ପିଟାଲ୍ ଗସ୍ତ କରିବେ। ଏହା ପୂର୍ବରୁ ସେଠାରେ ରଙ୍ଗବୋଳା କାମ ଚାଲିଛି। ରଙ୍ଗ ବେରଙ୍ଗର ଟାଇଲ୍ସ ଲଗାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଫଟୋ ସୁଟ୍‌ରେ ଯେମିତି କୌଣସି ତ୍ରୁଟି ନରହୁ ଏହାର ସମସ୍ତ ବନ୍ଦୋବସ୍ତ କରାଯାଉଛି। ଏମାନଙ୍କୁ  ଲଜ୍ଜା ଆସିବା ଦରକାର। ଏତେ ଲୋକ ମରିଗଲେ ଆଉ ଏମାନଙ୍କର ଇଭେଣ୍ଟ କାମ ଚାଲିଛି।

wp:html /wp:html

ଅନ୍ୟପକ୍ଷେ ଆପ୍ ଲେଖିଛି, ମୋରବି ସିଭିଲ୍ ହସ୍ପିଟାଲ୍‌ରେ ରାତାରାତି ରଙ୍ଗବୋଳା କାମ ଚାଲିଛି। ଯଦ୍ଵାରା ପିଏମ ମୋଦୀଙ୍କ ଫଟୋ ସୁଟ୍‌ରେ ନିମ୍ନମାନର ହସ୍ପିଟାଲ୍ କୋଠାର ପୋଲ୍ ନଖୋଲିନଯାଉ। ୧୪୧  ଜଣ ଲୋକ ମରି ସାରିଲେଣି, ଶତାଧିକ ନିଖୋଜ, ପ୍ରକୃତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କିନ୍ତୁ ବିଜେପିକୁ ଫଟୋ ସୁଟ୍‌ର ଚିନ୍ତା।

ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ମୋରବିର ମଚ୍ଛୁ ନଦୀର ଝୁଲା ପୋଲ ଛିଣ୍ଡି ଯିବାରୁ ନଦୀରେ ଖିସ ଏ ପର୍ଯ୍ୟନ୍ତ ୧୩୪ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଶତାଧିକ ସଂଖ୍ୟାରେ ଲୋକେ ଆହତ ହୋଇଛନ୍ତି। ଘଟଣାରେ ଏ ପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରାଯାଇଛି। ରକ୍ଷଣାବେକ୍ଷଣର ଦାୟିତ୍ଵ ନେଇଥିବା କମ୍ପାନି ଓରେଭା ବିନା ଫିଟନେସ୍ ସାର୍ଟିଫିକେଟ୍‌ରେ ପୋଲ ଖୋଲିବା ଏବଂ ଆବଶ୍ୟକତାଠୁ ଅଧିକ ଲୋକ ପୋଲ ଉପରକୁ ଯିବାରୁ ଏହି ଘଟଣା ଘଟିଥିବା ତଦନ୍ତରୁ ଜଣା ପଡିଛି। ଗତକାଲି ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.