ମୃତ୍ୟୁର ଘଣ୍ଟାଏ ପୂର୍ବରୁ ବିଶିଷ୍ଟ ଆଇନଜୀବୀ ହରିଶ ସାଲଭେଙ୍କୁ ଫୋନ୍ କରି ସୁଷମା କହିଥିଲେ ‘ମୋ ପାଖକୁ ଆସି ତୁମର ଟଙ୍କାଟିଏ ନେଇଯାଅ’…
7/08/2019 at 4:32 PM

ନୂଆଦିଲ୍ଲୀ ୭|୮: ପରଲୋକରେ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ । ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଛି । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କକୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ମଙ୍ଗଳବାର ରାତିରେ ଏମ୍ସ ହସ୍ପିଟାଲରେ ସୁଷମା ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା ।

ସୁଷମା ସ୍ବରାଜ ଅସୁସ୍ଥ ହେବାର ଘଣ୍ଟାଏ ପୂର୍ବରୁ ଭାରତର ପ୍ରସିଦ୍ଧ ଆଇନଜୀବୀ ଏବଂ ଅନ୍ତର୍ଜାତୀୟ କୋର୍ଟରେ ଭାରତର ପକ୍ଷ ରଖୁଥିବା ଆଇନଜୀବୀ ହରିଶ ସାଲଭେଙ୍କୁ ଫିସ୍ ବାବାଦକୁ ଏକ ଟଙ୍କା ନେଇଯିବା ପାଇଁ କହିଥିଲେ ।

ସୂଚନା ଅନୁସାରେ ସୁଷମା ସ୍ବରାଜ କହିଥିଲେ ଯେ, କୁଳଭୁଷଣ ଯାଦବ ମାମଲାରେ କେସ୍ ଲଢିବା ପାଇଁ ଆଇନଜୀବୀ ହରିଶ ସାଲଭେ ଏକ ଟଙ୍କା ଫିସ୍ ନେଇଥିଲେ । ହରିଶ ସାଲଭେ କହିଥିଲେ ଯେ, ନିଧନର ଏକ ଘଣ୍ଟା ପୂର୍ବରୁ ସୁଷମାଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା । ସୁଷମା ତାଙ୍କୁ ତାଙ୍କର ଏକ ଟଙ୍କା ଫିସ୍ ନେଇଯିବା ପାଇଁ କହିଥିଲେ ।

ସେ କହିଛନ୍ତି ଯେ, ଯେତେବେଳେ ତାଙ୍କ ଫୋନ୍ ଆସିଥିଲା କିଛି ସମୟ ପାଇଁ ଉଭୟ ଭାବୁକ ହୋଇଯାଇଥିଲେ । ସେ ସାଲଭେଙ୍କୁ ତାଙ୍କ ନିକଟକୁ ଯିବା ପାଇଁ କହିଥିଲେ । ସୁଷମା କହିଥିଲେ ଯେ, ‘କୁଳଭୂଷଣ କେସ୍ ରେ ବିଜୟୀ ହୋଇଥିବାରୁ ଆପଣଙ୍କୁ ଫିସ୍ ଦେବାର ଅଛି ।’ ସେହି ସମୟରେ ସାଲଭେ କହିଥିଲେ ଯେ, ‘ହଁ, ମୁଁ ନିଶ୍ଚୟ ଯାଇ ମୋ ଫିସ୍ ନେଇଆସିବି’ ।

ସାଲଭେ କହିଛନ୍ତି ଯେ, ସେ ମଙ୍ଗଳବାର ରାତି ୮ଟା ୪୫ ମିନିଟ୍ ରେ ସୁଷମାଙ୍କ ସହ କଥା ହୋଇଥିଲେ। ସେତେବେଳେ ସେ ସୁସ୍ଥ ଥିଲାଭଳି ଲାଗୁଥିଲେ । ତାଙ୍କ ବିୟୋଗରେ ସାରା ଦେଶର କ୍ଷତି ହୋଇଛି ଏବଂ ତାଙ୍କର ମଧ୍ୟ କ୍ଷତି ହୋଇଥିବା ସାଲଭେ କହିଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ସମୟରେ ସେ ଦେଶବାସୀଙ୍କ ପାଇଁ ବହୁତ କିଛି କରିଛନ୍ତି । ସେ ୟମନରେ ଫସିଥିବା ୪୫୦୦ ଭାରତୀୟଙ୍କୁ ସେଠାରୁ ମୁକୁଳାଇଥିଲେ । ସେ ଲିବିୟା, ଇରାକ, ସ୍ବେଡେନରେ ଫସିଥିବା ଭାରତାୟଙ୍କୁ ମଧ୍ୟ ସହଯୋଗ କରିଥିଲେ ।