କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାର୍ଯ୍ୟକ୍ରମରେ ମହୁମାଛି ଆକ୍ରମଣ, ୧୨ରୁ ଅଧିକ ଲୋକ ଆହତ

Published By : Prameya-News7 Bureau | November 30, 2024 IST

ଶିବପୁରୀ ୩୦।୧୧: ଶିବପୁରୀ ଜିଲ୍ଲାସ୍ଥିତ ମାଧବ ନ୍ୟାସନାଲ ପାର୍କରେ ଶନିବାର କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାର୍ଯ୍ୟକ୍ରମରେ ମହୁମାଛି ଆକ୍ରମଣ କରିଛନ୍ତି। ଫଳରେ କାର୍ଯ୍ୟକ୍ରମ ସ୍ଥଳରେ ୧୨ଜଣ ଲୋକ ଆହତ ହୋଇଛନ୍ତି। ତେବେ ସୁରକ୍ଷା କର୍ମୀଙ୍କ ତତ୍ପରତା ଯୋଗୁ ସିନ୍ଧିଆ ସୁରକ୍ଷିତ ଥିବା ଜଣାପଡିଛି। ମହୁମାଛିଙ୍କ ଏପରି ଅପ୍ରତ୍ୟାସିତ ଆକ୍ରମଣ ଯୋଗୁ ସିନ୍ଧିଆଙ୍କୁ କାର୍ଯ୍ୟକ୍ରମ ଅଧାରେ  ଛାଡିଯିବାକୁ ପଡିଥିଲା। ଯାହାକୁ ସେ ପରେ ଆସି ଶେଷ କରିଛନ୍ତି। 

କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ଚାନ୍ଦପାଠା ହ୍ରଦରେ ଡ୍ରେଜିଂ ମେସିନ ଉଦଘାଟନ କରିବାକୁ ଆସିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛି ସମୟ ପରେ ମହୁମାଛି ଆକ୍ରମଣ କରିଥିଲେ। ଏଣୁ ଅଧିକାରୀମାନେ କାର୍ଯ୍ୟକ୍ରମକୁ କିଛି ସମୟ ପାଇଁ ରୋକି ଦେଇଥିଲେ। ଏହି ସମୟରେ ସିନ୍ଧିଆ ଅନ୍ୟ କାର୍ଯ୍ୟରେ ଚାଲିଯାଇଥିଲେ ଓ ପରେ ଆସି ଡ୍ରେଜିଂ ମେସିନ ଉଦଘାଟନ କରିଛନ୍ତି। ଘଟଣା ୩୦ ନଭେମ୍ବର ଶନିବାର ଅପରାହ୍ନ ପ୍ରାୟ ସାଢେ ୩ଟା ଆଖପାଖରେ ଘଟିଛି। 

କୁହାଯାଉଛି କାର୍ଯ୍ୟକ୍ରମ ସ୍ଥଳରେ ସୁରକ୍ଷା ଉଦ୍ଦେଶ୍ୟରେ ଡ୍ରୋନ ଉପଯୋଗ କରାଯାଇଥିଲା, ଯାହାକୁ ଘଟଣାର କାରଣ ବୋଲି କୁହାଯାଉଛି। ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁସାରେ ଡ୍ରୋନର ଶବ୍ଦ ଓ ପବନରେ ମହୁମାଛି ଉତ୍ତେଜିତ ହୋଇ ଆକ୍ରମଣ କରିବାକୁ ମାଡି ଆସିଥିଲେ। ମାଧବ ନ୍ୟାସନାଲ ପାର୍କର ଚିଫ କଞ୍ଜରଭେଟର ଅଫ ଫରେଷ୍ଟ (ସିସିଏଫ) ଉତ୍ତମ ଶର୍ମା ଘଟଣାର ପୁଷ୍ଟି କରିଛନ୍ତି। ମହୁମାଛି ଲୋକଙ୍କୁ କାମୁଡିବାରୁ କାର୍ଯ୍ୟକ୍ରମକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.