ବିରାଟ-ଧାଓ୍ଵନଙ୍କୁ ପଛରେ ପକାଇ No-1 ହେଲେ ଗିଲ୍, ଅଳ୍ପକେରୁ ବର୍ତ୍ତିଲା ଫକର ଜମାନଙ୍କ ବିଶ୍ଵ ରେକର୍ଡ

Published By : Prameya-News7 Bureau | January 18, 2023 IST

ହାଇଦ୍ରାବାଦ: ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟର ଶୁବମାନ ଗିଲ୍ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ଶତକ ଅର୍ଜନ କରିଛନ୍ତି। ସେ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ କରିଥିଲେ।  ଗିଲ୍ ଧୈର୍ଯ୍ୟର ସହ କ୍ରିଜରେ ଜମିବା ପରେ ବିସ୍ଫୋରକ ବ୍ୟାଟିଂ କରି ଦିନିକିଆ ଅନ୍ତର୍ଜାତୀୟରେ ତୃତୀୟ ଶତକ ହାସଲ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ନିକଟରେ ସଂପନ୍ନ ସିରିଜର ଶେଷ ଦିନିକିଆରେ ଗିଲ୍ ଦ୍ଵିତୀୟ ଶତକ ପୂରଣ କରିଥିଲେ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଗିଲ୍ ନିଜର ଏହି ଇନିଂସ ଜରିଆରେ ବିରାଟ କୋହଲି ଏବଂ ଶିଖର ଧାଓ୍ଵନଙ୍କ ବଡ ରେକର୍ଡ ଭାଙ୍ଗିଛନ୍ତି। ଭାରତ ପକ୍ଷରୁ ସେ ଦିନିକିଆ ଅନ୍ତର୍ଜାତୀୟରେ ଦ୍ରୁତ ୧୦୦୦ ରନ ପୂରଣ କରିଛନ୍ତି।

ଏହା ପୂର୍ବରୁ ଏହି ରେକର୍ଡ ବିରାଟ କୋହଲି ଏବଂ  ଶିଖର ଧାଓ୍ଵନଙ୍କ ନାମରେ ଥିଲା। ଦୁଇ ବ୍ୟାଟର ୨୪ଟି ଲେଖାଏଁ ଇନିଂସ ଖେଳି ଏହି ଉପଲବ୍ଧି ହାସଲ କରିଥିବା ବେଳେ ଗିଲ୍ ମାତ୍ର ୧୯ଟି ଇନିଂସରେ ଏହି ସଫଳତା ପାଇଛନ୍ତି। ତେବେ ସେ ପାକିସ୍ତାନର ବ୍ୟାଟର ଫକର ଜମାନଙ୍କ ବିଶ୍ଵ ରେକର୍ଡ ଭାଙ୍ଗିବାରେ ମାତ୍ର ଗୋଟିଏ ଇନିଂସ ପଛରେ ରହି ଯାଇଛନ୍ତି। ଦିନିକିଆ ଅନ୍ତର୍ଜାତୀୟରେ ଫକର ଜମାନ ୧୮ଟି ଇନିଂସରୁ ଦ୍ରୁତ ୧୦୦୦ ରନ ପୂରଣ କରିଥିଲେ। ତଥାପି ଗିଲ୍‌ ପାକିସ୍ତାନର ଆଉ ଜଣେ ବ୍ୟାଟର ଇମାମ ଉଲ ହକ୍‌ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଇମାମ ଉଲ ହକ୍ ୧୯ଟି ଇନିଂସରେ ୧୦୦୦ ଦିନିକିଆ ରନ ପୂରଣ କରିଥିଲେ। ୩୨.୪ ଓଭରରେ ଚୌକା ଲଗାଇ ଗିଲ୍ ଏହି ଉପଲବ୍ଧି ହାସଲ କରିଛନ୍ତି। ସେ ଭିଭିଆନ ରିଚାର୍ଡ୍ସ,  କେଭିନ ପିଟରସନ, ଜୋନାଥନ ଟ୍ରଟ, କ୍ଵିଣ୍ଟନ ଡିକକ୍‌, ବାବର ଆଜମଙ୍କ ପରି ବ୍ୟାଟରଙ୍କୁ ପଛରେ ପକାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.