ଦୁଇ ସନ୍ତାନ ନିଖୋଜ, ବନ୍ଧା ହେଲେ ବିଉଟି କୁଇନ୍… ଜେଲ୍ରେ ରହି ବି ମାନୁନାହାନ୍ତି
28/02/2020 at 8:48 PM

ଇଦାହୋ ୨୮/୦୨- ଆମେରିକାର ଇଦାହୋ ପ୍ରଦେଶରେ ଏକ ଅଭାବନୀୟ ଘଟଣାରେ ଦୁଇ ସନ୍ତାନଙ୍କ ନିଖୋଜ ଘଟଣାରେ ସେମାନଙ୍କ ମାଆକୁ ଗିରଫ କରି ଜେଲ ପଠାଇଛି ପୋଲିସ । ବଡ଼ କଥାଟି ହେଲା ଗିରଫ ମହିଳା ଜଣେ ପୂର୍ବତନ ସୁନ୍ଦରୀ , ଅର୍ଥାତ୍ ବ୍ୟୁଟି କୁଇନ୍ । ଦୁଇ ସନ୍ତାନଙ୍କ ନିଖୋଜର ୫ ମାସ ପରେ ବି ମହିଳା ଜଣକ ପୋଲିସରେ ଖବର ଦେଇନଥିଲେ। କିମ୍ବା ପୋଲିସର ତାଗିଦା ସତ୍ତ୍ୱେ ପିଲାଙ୍କୁ ହାଜର କରାଇପାରିନଥିଲେ । ଆହୁରି ଏକ ସନ୍ଦେହ ଜନକ କଥା ହେଲା , ପିଲା ଦୁହେଁ ନିଖୋଜ ହେବା ପରେ ହିଁ ମାଆ ପଞ୍ଚମ ଥର ଲାଗି ବିବାହ କରିଥିଲେ ।
ଏହି ବ୍ୟୁଟି କୁଇନ୍ ହେଲେ ଆମେରିକାର ଇଦାହୋ ପ୍ରଦେଶରେ ରହୁଥିବା ଲୋରି ଭାଲୋ । ୪୭ ବର୍ଷୀୟୀ ଏହି ହୃଦୟହୀନା ସୁନ୍ଦରୀଙ୍କ ବିରୋଧରେ ଦୁଇ ସନ୍ତାନଙ୍କୁ ପାଳନ ପୋଷଣ ନକରି ଛାଡିଦେବା, ସେମାନଙ୍କୁ ସ୍ନେହରୁ ବଞ୍ଚିତ କରିବା ଆଦି ଅଭିଯୋଗ ସହ ଅନ୍ୟାନ୍ୟ ଅଭିଯୋଗରେ ୨ କାଉଣ୍ଟ ଲାଗିଛି ।ଗତ ଜାନୁଆରୀ ଶେଷ ସୁଦ୍ଧା ସେ ପୋଲିସ ଆଗରେ ତାଙ୍କ ଦୁଇ ସନ୍ତାନଙ୍କୁ ହାଜର କରିବାରେ ବିଫଳ ହେବାରୁ ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି ପୋଲିସ।ନିକଟରେ ହାୱାଲିରେ ବ୍ୟୁଟି କୁଇନ ଲୋରି ଭାଲୋଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଜାମିନ ପାଇଁ କୋର୍ଟ ୫ ନିୟୁତ ଡଲାରର ବେଲ୍ବଣ୍ଡ ଘୋଷଣା କରିଛନ୍ତି । କିନ୍ତୁ ଏହି ଜମାନତ ଅର୍ଥ ହ୍ରାସ ଲାଗି ଉଦ୍ୟମ କରି ବିଫଳ ହୋଇଛନ୍ତି ଲୋରି ।
ଲୋରି ଭାଲୋଙ୍କ ଦୁଇ ସନ୍ତାନ ୭ ବର୍ଷୀୟ ଜୋଶୁଆ ଭାଲୋ ଓରଫ ଜେଜେ ଏବଂ ୧୭ ବର୍ଷୀୟା ଟାଇଲି ରାୟନଙ୍କର ୫ ମାସ ହେବ ପତ୍ତା ମିଳୁନି । ସେମାନଙ୍କ ନିଖୋଜ ନେଇ ପ୍ରଥମେ ଜେଜେଙ୍କ ଜେଜେ ମାଆ ପୋଲିସରେ ଅଭିଯୋଗ କରି ପିଲା ଦୁହିଁଙ୍କ ଭଲମନ୍ଦ ସଂପର୍କରେ ଯାଞ୍ଚ ଲାଗି ନିବେଦନ କରିଥିଲେ । ଏପଟେ ୫ମ ବିବାହ କରିଥିବା ଲୋରି ଭାଲୋ ଏବଂ ତାଙ୍କ ସ୍ବାମୀ ଚାଧ ଡେବିଲ୍ ଏହି ଘଟଣାରେ ଦେଖାଇଥିବା ବ୍ୟବହାର ପୋଲିସର ସନ୍ଦେହ ବଢାଇ ଦେଇଥିଲା । ସେପ୍ଟେମ୍ବରରେ ଦୁଇ ପିଲାଙ୍କୁ ଦେଖିବାକୁ ମିଳିଥିଲା ।
ନଭେମ୍ବରରେ ପିଲାଙ୍କ ଖୋଜ ଖବର ମିଳିନଥିଲା । ଏହି ଘଟଣା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା ।ଏହି ଅଭିଯୁକ୍ତ ବିଉଟି କୁଇନ୍ ଅତୀତରେ ହୁଇଲ ଅଫ ଫର୍ଚୁନ୍ରେ ଅଂଶ ଗ୍ରହଣ କରି ୧୭,୫୦୦ ଡାଲାର ଜିତିଥିଲେ । ତା ସହ ସେ ସୁନ୍ଦରୀ ପ୍ରତିଯୋଗିତାରେ ବି ପ୍ରତିଯୋଗୀ ହୋଇଥିଲେ । ତେବେ ବର୍ତ୍ତମାନ ତାଙ୍କ ବିରୋଧରେ ନିଜ ଶିଶୁଙ୍କ ନିଖୋଜର ଆରୋପ। ପିଲା ଦୁଇଟିଙ୍କ ଜୀବନ ପ୍ରତି ବିପଦ ଥିବା କେତେକ ଆଲୋଚନା କରୁନଥିବା ବେଳେ ସନ୍ଦିଗ୍ଧ ପରିବେଶରେ ଶିଶୁ ଦୁଇଟିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ମଧ୍ୟ କରାଯାଉଛି ।