ନ୍ୟୁୟର୍କରେ ମାତ୍ ଦେବା ପରେ ଏବେ ଲାହୋର ପାଳି...ଏହି ଦିନ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

Published By : Prameya-News7 Bureau | June 10, 2024 IST

abp live

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ରେ ଭାରତ ପାକିସ୍ତାନ ମୁହଁରୁ ବିଜୟ ଛଡ଼ାଇ ନେଇଛନ୍ତି। ନ୍ୟୁୟର୍କରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୧୧୯ ରନରେ ଅଲଆଉଟ୍  ହେବା ପରେ ପାକିସ୍ତାନୀ ପ୍ରଶଂସକ ଓ ପୂର୍ବତନ କ୍ରିକେଟ୍‌ର ଖୁସିର କୌଣସି ସୀମା ନ ଥିଲା। ହେଲେ ଭାରତୀୟ ବୋଲର ଯେଉଁଭଳି ଭାବେ ବୋଲିଂ କଲେ ତାହା ଅବିଶ୍ଵସନୀୟ ଥିଲା। ଆଉ ଭାରତ ୬ ରନରେ ମ୍ୟାଚ୍‌କୁ ଜିତି ନେଇଛି। ଏହା ମଧ୍ୟରେ ଭାରତ ପାକିସ୍ତାନ ମଧ୍ୟରେ ପରବର୍ତ୍ତୀ ମୁକାବିଲାକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଦୁଇ ଦେଶ ମଧ୍ୟରେ ଏହି ମ୍ୟାଚ୍ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଖେଳାଯିବ।

କ୍ରିକବଜ୍‌ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସିଡ୍ୟୁଲ ଆଇସିସିକୁ ପ୍ରଦାନ କରିଛି। ଏହା ଉପରେ ଆଇସିସିର ମୋହର ବାଜିବା ବାକି ରହିଛି। ରିପୋର୍ଟ ଅନୁଯାୟୀ, ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଖେଳା ଯାଇପାରେ। ହେଲେ ଅଦ୍ୟାବଧି ମ୍ୟାଚ୍ ତାରିଖ ଘୋଷଣା କରାଯାଇ ନାହିଁ। 

Also read: ଟିମ୍‌ ଇଣ୍ଡିଆ ଠାରୁ ହାରିଲା ମ୍ୟାଚ୍‌, ଏବେ ପାକିସ୍ତାନକୁ ମିଳିବ ୨ କୋଟି ଟଙ୍କା

ଭାରତ ଓ ପାକିସ୍ତାନ ମୁକାବିଲା ଲାହୋରରେ ଖେଳା ଯାଇପାରେ। ଯଦି ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଗସ୍ତ କରେ ତେବେ ଲାହୋରରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ। ହେଲେ ଏ ପର୍ଯ୍ୟନ୍ତ ବିସିସିଆଇ ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ନେଇ କୌଣସି ନିଷ୍ପତ୍ତି ନେଇ ନାହିଁ। କାରଣ ଏହା ସରକାରଙ୍କ ମଞ୍ଜୁରୀ ଉପରେ ନିର୍ଭର କରେ। 

ଭାରତ ବିପକ୍ଷରେ ୬ ରନର ପରାଜୟ ସହ ବାବର ଆଜମଙ୍କ ଦଳ ଟି-୨୦ ବିଶ୍ଵକପ୍ ୨୦୨୪ରୁ ବାଦ୍ ପଡ଼ିବାର ବିପଦ ଦେଖା ଦେଇଛି। ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଲଗାତାର ଦ୍ଵିତୀୟ ପରାଜୟ। ଏହା ପୂର୍ବରୁ ପାକିସ୍ତାନ ୟୁଏସଏ ଠାରୁ ଲଜ୍ଜାଜନକ ପରାଜୟ ଭୋଗି ସାରିଛି। ଦଳ ନିଜର ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ ଆୟରଲାଣ୍ଡ ଓ କାନାଡ଼ା ବିପକ୍ଷରେ ଖେଳିବ। 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.