ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30/01/2023 at 11:09 PM

ନୀଳଗିରି ୩୦/୦୧: ସହର ଭିତରେ ଭାଲୁ । ବାଲେଶ୍ବର ଜିଲ୍ଲା ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ । ରାତିରେ ଜଙ୍ଗଲୀ ଜନ୍ତୁକୁ ବୁଲୁଥିବା ଦେଖି ଭୟଭୀତ ହୋଇଛନ୍ତି ଲୋକେ । ଭାଲୁ ସହରର ବିଭିନ୍ନ ଗଳିକନ୍ଦିରେ ପଶୁଥିବା ଦେଖିବାକୁ ମିଳିଛି ।
ନୀଳଗିରି ଏନଏସିର ୨ ନମ୍ବର ଓ୍ବାର୍ଡ ଘାଟଘରସାହି ନିକଟରେ ଏକ ବିଶାଳକାୟ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ରବିବାର ରାତି ପ୍ରାୟ ୧୧ଟା ସମୟରେ ଭାଲୁଟି ଜଙ୍ଗଲ ଭିତରୁ ଖାଦ୍ୟ ଅନ୍ବେଷଣରେ ସହର ମଧ୍ୟକୁ ପଶିଆସିଥିଲା । ସେରଗଡ଼-ଉଦଳା ରାଜ୍ୟ ରାଜପଥ ବୁଢ଼ି ବାସୁଳୀ ମନ୍ଦିର ନିକଟରେ ବୁଲୁଥିଲା । ସ୍ଥାନୀୟ ଲୋକେ ଭାଲୁକୁ ଦେଖିବା ପରେ ଭୟଭୀତ ହେବା ସହିତ ଘରେ ତାଟି କବାଟ ପକାଇ ଦେଇଛନ୍ତି । ଭାଲୁଟି ସ୍ବର୍ଣ୍ଣଚୂଡ଼ ପାହାଡ଼ରୁ ଖାଦ୍ୟ ଅନ୍ବେଷଣରେ ବାହାରି ପ୍ରତିଦିନ ସହର ମଧ୍ୟକୁ ଚାଲିଆସୁଛି ବୋଲି ଲୋକେ କହିଛନ୍ତି । ସେପଟେ ବନ ବିଭାଗ ସତର୍କତାର ସହିତ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ।