ବିଶ୍ଵ କପ୍ ହେଉ କି ସିରିଜ୍ ? ବଡ ଇଭେଣ୍ଟରେ ରୋହିତଙ୍କୁ ଧୋକା ଦେଉଛି ଭାଗ୍ୟ !

Published By : Prameya-News7 Bureau | June 28, 2022 IST

ନୂଆଦିଲ୍ଲୀ: ଭାରତ ଜୁଲାଇ ୧ରେ ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନରେ ଟେଷ୍ଟ ମ୍ୟାଚ୍ ଖେଳିବ। ଏହି ଟେଷ୍ଟ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଗତ ବର୍ଷ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଏହା ହେଉଛି ପଞ୍ଚମ ତଥା ନିର୍ଣ୍ଣାୟକ ମୁକାବିଲା।ହେଲେ କରୋନା କାରଣରୁ ଶେଷ ମ୍ୟାଚ୍ ଖେଳା ଯାଇ ପାରିନଥିଲା। ବର୍ତ୍ତମାନ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି ଭାରତ। ଭାରତର ନଜର ଶେଷ ଟେଷ୍ଟ ଜିତି ଇତିହାସ ରଚିବା ଉପରେ ରହିଛି। ହେଲେ ଏହା ପୂର୍ବରୁ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ଅଧିନାୟକ ରୋହିତ ଶର୍ମା। ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ଏବେ ସଙ୍ଗରୋଧରେ ରହିଛନ୍ତି।

ଏଜବାଷ୍ଟନ ଟେଷ୍ଟ ରୋହିତ ଖେଳିବେ କି ନାହିଁ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ। ଯଦି ରୋହିତ ଖେଳିବେ ନାହିଁ ତେବେ ଭାରତୀୟ ଦଳର ନେତୃତ୍ଵ କିଏ ନେବ ଏବଂ ଦଳର ଓପନିଂ କିଏ କରିବ ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ରୋହିତ ଶର୍ମାଙ୍କ କଥା କୁହାଯିବ ତେବେ ଏମିତି ଅନେକ ଥର ହୋଇଛି ଯେତେବେଳେ ଗୁରୁତ୍ଵପୂର୍ଣ୍ଣ ସମୟରେ ଭାଗ୍ୟ ତାଙ୍କୁ ଧୋକା ଦେଇଛି।

କେତେବେଳେ ରୋହିତ ଶର୍ମା ଅନଫିଟ୍ ରହୁଛନ୍ତି ତ ଆଉ କେତେବେଳେ ଖରାଫ ଫର୍ମ ତାଙ୍କ ଲୟ ବିଗାଡି ଦେଇଛି। ଏମିତି ଘଟଣା ଅଧିକାଂଶ ସେହି ସମୟରେ ଘଟୁଛି ଯେତେବେଳେ ଟିମ୍ ଇଣ୍ଡିଆ କୌଣସି ବଡ ମ୍ୟାଚ୍ କିମ୍ବା ସିରିଜ୍ ଖେଳିବାକୁ ପ୍ରସ୍ତୁତି କରୁଥିବ। କିମ୍ବା ଉକ୍ତ ସିରିଜ୍ ରୋହିତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଥିବ।

ରୋହିତଙ୍କୁ ଭାଗ୍ୟ କେବେ କେବେ ଦେଇଛି ଧୋକା ?

ଯଦି ପୁରୁଣା ପୃଷ୍ଠା ଓଲଟାଇବା ତେବେ ପ୍ରଥମେ ନଜରକୁ ଆସେ ୨୦୧୧ ବିଶ୍ଵ କପ୍। ବିଶ୍ଵ କପରେ ରୋହିତ ଶର୍ମାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନଥିଲା। ରୋହିତ ବିଶ୍ଵ କପ୍‌ର କିଛି ସମୟ ପୂର୍ବରୁ ରନ କରୁଥିଲେ, ମାତ୍ର ବିଶ୍ଵକପ୍ ନିକଟତର ହେବା ସମୟରେ ସେ ଫର୍ମ ହରାଇଥିଲେ ଏବଂ ଆହତ ହୋଇଥିଲେ। ତେଣୁ ତାଙ୍କୁ ବିଶ୍ଵ କପ୍ ଦଳରେ ସ୍ଥାନ ମିଳିନଥିଲା।

ପୁଣି ୨୦୨୦-୨୧ରେ ଯେତେବେଳେ ଭାରତୀୟ ଦଳ ଟେଷ୍ଟ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଥିଲା, ସେହି ସମୟରେ ରୋହିତ ଆହତ ହୋଇଥିଲେ। ପ୍ରଥମ ଦୁଇଟି ମ୍ୟାଚ୍ ସେ ଖେଳି ପାରିନଥିଲେ। ପ୍ରଥମ ମ୍ୟାଚ୍‌ରେ ଦଳ ୩୬ ରନରେ ଅଲଆଉଟ୍ ହୋଇଥିଲା। ପରେ ଦୁଇଟି ମ୍ୟାଚ୍‌ରେ ରୋହିତ ଶର୍ମା ଖେଳିଥିଲେ।

ଏହା ପରେ ରୋହିତ ଶର୍ମାଙ୍କୁ ଯେଉଁ ସମୟରେ ଅଧିନାୟକ ଦାୟିତ୍ଵ ଦିଆଗଲା, ତାଙ୍କର ପ୍ରଥମ ଗସ୍ତ ଦକ୍ଷିଣ ଆଫ୍ରିକା ଥିଲା। ହେଲେ ଆହତଜନିତ ସମସ୍ୟା କାରଣରୁ ସେ ଗସ୍ତ କରିପାରିନଥିଲେ। ନା ସେ ଟେଷ୍ଟ ସିରିଜ୍ ଖେଳିପାରିଲେ ନା ଦିନିକିଆ ସିରିଜ୍। ତାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦଳର ନେତୃତ୍ଵ ନେଇଥିଲେ ଏବଂ ଭାରତୀୟ ଦଳ ଉଭୟ ସିରିଜରେ ପରାସ୍ତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.