ଚର୍ବିଯୁକ୍ତ ଖାଦ୍ୟ ଖାଉଥିଲେ ସାବଧାନ, ରୋଗ ପ୍ରତିରୋଧ ଶକ୍ତିକୁ କରିଥାଏ ନଷ୍ଟ

Published By : Prameya-News7 Bureau | February 08, 2024 IST

ନୂଆଦିଲ୍ଲୀ ୦୮।୦୧: ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସଦ୍ୟ ଅଧ୍ୟୟନ ଚିନ୍ତା ବଢ଼ାଇଛି । ଅଧ୍ୟୟନ ଅନୁସାରେ, ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ କେବଳ ମୋଟା କରୁନାହିଁ, ବରଂ ଏହା ଯୋଗୁ କର୍କଟ ଓ ଅଲ୍‌ସର ଭଳି ରୋଗର ଆଶଙ୍କା ବଢୁଛି । ସେତିକି ନୁହେଁ, ଏହି ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଆଗାମି ପିଢ଼ିର ପ୍ରତିରକ୍ଷା ପ୍ରଣାଳୀ ଓ ମସ୍ତିଷ୍କକୁ ଦୁର୍ବଳ କରୁଛି । ଆଗାମି ପିଢ଼ିର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ କେମିତି ହେବ, ତାହା ଆପଣଙ୍କ ଥାଳିରେ ପରସାଯାଉଥିବା ଖାଦ୍ୟ ନିଷ୍ପତ୍ତି ନେବ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ଫ୍ୟାଟ୍‌ ବା ଚର୍ବି ନାଁ ଶୁଣିବା ମାତ୍ରେ ସର୍ବପ୍ରଥମେ ‘ଓଜନ’ ଶବ୍ଦ ମନକୁ ଆସେ । କିନ୍ତୁ ଚର୍ବି ଆପଣଙ୍କ ଶରୀର ପାଇଁ ସବୁଠୁ ବଡ଼ ଶକ୍ତିର ସ୍ରୋତ । ୧ ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌ ଓ ୧ ଗ୍ରାମ୍‌ ପ୍ରୋଟିନ୍‌ରୁ ଆମକୁ ୪ କ୍ୟାଲୋରି ମିଳେ । ୧ ଗ୍ରାମ୍‌ ଚର୍ବିରୁ ଆମକୁ ଦି’ଗୁଣା ଅର୍ଥାତ୍‌ ୮ କ୍ୟାଲୋରି ମିଳେ ।

ଆଜିକାଲି ଲୋକେ ଓଜନ ବଢ଼ାଇବାକୁ କିମ୍ବା ସୁସ୍ଥ ରହିବାକୁ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଖାଉଛନ୍ତି । କିନ୍ତୁ ଆବଶ୍ୟକଠୁ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଶରୀର ପାଇଁ ହାନିକାରକ ହୋଇପାରେ । ଏ ପ୍ରକାର ଖାଦ୍ୟ ଅନେକ ସମୟରେ ଗମ୍ଭୀର ରୋଗ ଆଣେ । ଅଧିକ ସମୟ ପର୍ଯ୍ୟନ୍ତ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରରେ ଗ୍ରୋଥ୍‌ ହର୍ମୋନ କମିଯାଏ । ଫଳରେ ଶରୀରର ବିକାଶ ଧୀମା ହେବାକୁ ଲାଗେ । ଅଧିକ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଦ୍ୱାରା କୋଲେଷ୍ଟ୍ରଲ୍‌ ବୃଦ୍ଧି, ଉଚ୍ଚ ରକ୍ତଚାପ ଓ ନିଦ୍ରାହୀନତା ଭଳି ରୋଗର ଆଶଙ୍କା ବଢ଼େ । ଉତ୍ତମ ଖାଦ୍ୟ ଆମ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରେ । କିନ୍ତୁ ସଦ୍ୟ ଅଧ୍ୟୟନ ଅନୁସାରେ, ଆମ ଜିନ୍‌ ଉପରେ ଏହା ଗଭୀର ପ୍ରଭାବ ପକାଏ ।

ଆଗାମି ପିଢ଼ିର ପ୍ରତିରକ୍ଷା ପ୍ରଣାଳୀ କିଭଳି ହେବ, ଏହା ଆମ ବର୍ତ୍ତମାନର ଖାଦ୍ୟପେୟ ଅଭ୍ୟାସ ଉପରେ ନିର୍ଭର କରେ । ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଯୋଗୁ ଅବସାଦ ଓ ମାନସିକ ଚାପ ଆଶଙ୍କା ବଢ଼େ । କିଛି ଲୋକ ସ୍ମରଣ ଶକ୍ତି ହ୍ରାସ ସମସ୍ୟାର ମଧ୍ୟ ସମ୍ମୁଖୀନ ହୁଅନ୍ତି । ଅନେକ ସମୟରେ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ମସ୍ତିଷ୍କ ପ୍ରଦାହର କାରଣ ହୁଏ । ଖାଦ୍ୟରେ ଆମେ ୪ ପ୍ରକାର ଚର୍ବି ଗ୍ରହଣ କରୁ, ଯାହା ଶରୀରକୁ ଯାଇ ଆମକୁ ଶକ୍ତିଶାଳୀ ବା ଦୁର୍ବଳ କରେ । ଏହି ୪ ପ୍ରକାର ଚର୍ବି ହେଉଛି- ସାଚୁରେଟେଡ୍‌ ଫ୍ୟାଟ୍‌, ପଲିଅନ୍‌ସାଚୁରେଟେଡ୍‌ ଫ୍ୟାଟ୍‌, ମୋନୋଅନ୍‌ସାଚୁରେଟେଡ୍‌ ଫ୍ୟାଟ୍‌ ଓ ଟ୍ରାନ୍ସ ଫ୍ୟାଟ୍‌ । ଟ୍ରାନ୍ସ ଫ୍ୟାଟ୍‌ ସବୁଠୁ ବିପଦପୂର୍ଣ୍ଣ ଚର୍ବି । ଭେଜିଟେବଲ ଅଏଲ୍‌ରେ ଏହି ଚର୍ବି ଥାଏ । ଏହା ଖରାପ କୋଲେଷ୍ଟରଲ ବଢ଼ାଏ ଏବଂ ଭଲ କୋଲେଷ୍ଟରଲ ହ୍ରାସ କରେ । ଏହା ଯୋଗୁ ଷ୍ଟ୍ରୋକ୍‌ ଓ ହୃଦ୍‌ ସମ୍ବନ୍ଧୀୟ ସମସ୍ୟା ଆଶଙ୍କା ବେଶି ଥାଏ । ବଜାରରେ ଉପଲବ୍ଧ ସମସ୍ତ ପ୍ୟାକେଟ୍‌ ଖାଦ୍ୟ ଯଥା- କେକ୍‌, କୁକିଜ୍‌, ପେଷ୍ଟ୍ରି, ଆଇସ୍‌କ୍ରିମ୍‌, ଛଣା ଖାଦ୍ୟ, ବର୍ଗର୍‌ ଓ ପିଜ୍ଜା ଆଦିରେ ଟ୍ରାନ୍ସ ଫ୍ୟାଟ୍‌ ଥାଏ ।

wp:embed {"url":"https://www.prameyanews7.com/want-to-increase-your-age-eat-all-these-things/","type":"wp-embed","providerNameSlug":"prameya-news-7"}
https://www.prameyanews7.com/want-to-increase-your-age-eat-all-these-things/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.