ବଦଳିଲେ ବିଡିଓ, ଅଶ୍ରୁଳ ବିଦାୟ ଦେଲେ କର୍ମଚାରୀ ଓ ସ୍ଥାନୀୟ ଲୋକେ

Published By : Prameya-News7 Bureau | August 08, 2022 IST

ଯାଜପୁର ରୋଡ୍ ୮।୮: ବିଡ଼ିଓଙ୍କ ବିଦାୟୀ ସମ୍ବର୍ଦ୍ଧନା ବେଳେ କାନ୍ଦିଲେ ବିଡ଼ିଓ, ବ୍ଲକ କର୍ମଚାରୀ ଓ ସ୍ଥାନୀୟ ଲୋକେ। ବିଡ଼ିଓ ଯିବା ସମୟରେ ସମସ୍ତେ ହୋଇଥିଲେ ଭାବବିହ୍ବଳ। ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ପରିସରରେ। ବିଡ଼ିଓଙ୍କ ଅନ୍ୟତ୍ର ବଦଳି ଯୋଗୁଁ ତାଙ୍କୁ ବିଦାୟ ଦେବାବେଳେ ସେଠାରେ ଉପସ୍ଥିତ ସାଧାରଣ ଲୋକେ, ବ୍ଲକ କର୍ମଚାରୀ ଓ ସମ୍ପୃକ୍ତ ବିଡ଼ିଓ ସମସ୍ତେ କାନ୍ଦିଥିଲେ।

ସୂଚନାଯୋଗ୍ୟ ଯେ, ଉମାକାନ୍ତ ପରିଡ଼ା ରସୁଲପୁର ବିଡ଼ିଓ ଭାବେ ୩ ବର୍ଷ ୮ ମାସ ଧରି କାର୍ଯ୍ୟ କରିବା ପରେ ନିକଟରେ ତାଙ୍କର କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ କୁ ବଦଳି ହୋଇଛି। ତେଣୁ ସୋମବାର ରସୁଲପୁର ବ୍ଲକରେ ନୂତନ ବିଡ଼ିଓ ଯୋଗଦେବା ପରେ ଉମାକାନ୍ତ ପରିଡ଼ା ତାଙ୍କୁ କାର୍ଯ୍ୟଭାର ଦେଇ ବ୍ଲକରୁ ବିଦାୟ ନେଇଥିଲେ। ତେବେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଓ ଜନପ୍ରତିନିଧି ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ। ପୂର୍ବତନ ବିଡ଼ିଓ ଉମାକାନ୍ତ ପରିଡ଼ାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମସ୍ତେ ସମ୍ବର୍ଦ୍ଧିତ କରିଥିଲେ। ବାଜା ବଜାଇ, ବାଣ ଫୁଟାଇ ବିଡ଼ିଓଙ୍କୁ କାନ୍ଧରେ ବସାଇ ଲୋକେ ବୁଲାଇଥିଲେ। ପରେ ବିଡ଼ିଓ ଯିବା ସମୟରେ ସମସ୍ତେ ଭାବବିହ୍ବଳ ହୋଇପଡ଼ିଥିଲେ। ବିଡ଼ିଓଙ୍କ ଠାରୁ ଆରମ୍ଭ କରି ବ୍ଲକ କର୍ମଚାରୀ ଓ ସ୍ଥାନୀୟ ଲୋକେ ସମସ୍ତେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ତେବେ ଉମାକାନ୍ତ ପରିଡ଼ା ଜଣେ ଭଲ ମଣିଷ ସହ ଜଣେ ଦକ୍ଷ ସରକାରୀ ଅଧିକାରୀ ବୋଲି ସମସ୍ତେ କହିଛନ୍ତି। ବିଡ଼ିଓ ହେବ ତ ଉମାକାନ୍ତ ପରିଡ଼ାଙ୍କ ଭଳି ବିଡ଼ିଓ ହେବା ଦରକାର ବୋଲି ଲୋକେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.