ଏହି ଭୁଲ କରି ଫସିଲେ ଧାଓ୍ୱନ ଓ ପାଣ୍ଡ୍ୟା, ବିସିସିଆଇ ନେଇପାରେ ବଡ କାର୍ଯ୍ୟାନୁଷ୍ଠାନ
5/03/2020 at 4:24 PM

ମୁମ୍ବାଇ ମାର୍ଚ୍ଚ ୦୫: ଭାରତୀୟ କ୍ରିକେଟ ଦଳର ଓପନର ଶିଖର ଧାଓ୍ୱନ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ଦୂରରେ ରହିଛନ୍ତି। ଆହତଜନିତ କାରଣରୁ ସେମାନେ କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳୁନାହାଁନ୍ତି। ପାଣ୍ଡ୍ୟାଙ୍କ ଅଣ୍ଟାର ତଳ ଅଂଶରେ ଅପରେସନ ହୋଇଥିବା ବେଳେ ଧାଓ୍ୱନ ରଣଜି ଟ୍ରଫିରେ ଆହତ ହୋଇ ଏବେ ଧିରେଧିରେ ସୁସ୍ଥ ହେଉଛନ୍ତି। ଏବେ ଉଭୟ ଖେଳାଳି ମୁମ୍ବାଇରେ ଖେଳାଯାଉଥିବା ଡିଓ୍ୱାଇ ପାଟିଲ ଟି୨୦ ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି। କିନ୍ତୁ ଉଭୟ ଏକ ଅଡୁଆରେ ଫଶିଛନ୍ତି। ଆଚାର ସଂହିତା ଉଲଙ୍ଘନକୁ ନେଇ ବିସିସିଆଇ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ।

ଡିଓ୍ୱାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ତିନଜଣ ବଡ ଖେଳାଳି ଅଂଶଗ୍ରହଣ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିଖର ଧାଓ୍ୱନଙ୍କ ବ୍ୟତୀତ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏଥିରେ ଖେଳୁଛନ୍ତି। ତେବେ ପାଣ୍ଡ୍ୟା ଓ ଧାଓ୍ୱନ ବୁଧବାର ଖେଳାଯାଇଥିବା ମୁକାବିଲାରେ ବିସିସିଆଇ ଲୋଗୋ ଥିହା ହେଲମେଟ୍ ବ୍ୟବହାର କରି ବ୍ୟାଟିଂ କରିଥିଲେ। ବିସିସିଆଇ ୨୦୧୪ରେ ସ୍ପଷ୍ଟ ଭାବେ ଦଳର କୌଣସି ଖେଳାଳି ଘରୋଇ ମ୍ୟାଚରେ ବୋର୍ଡର ଲୋଗୋ ଥିବା ହେଲମେଟ୍ ବ୍ୟବହାର କରିବେ ନାହିଁ ବୋଲି କହିଥିଲା। ଏବେ ବୋର୍ଡ ଏହି ୨ ଖେଳାଳିଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଆଗକୁ ଜଣାପଡିବ।

ସୂଚନାଯୋଗ୍ୟ, ଏହି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର, ପାଣ୍ଡ୍ୟା ଓ ଧାଓ୍ୱନ ରିଲିଆନ୍ସ ଓ୍ୱାନ ଦଳ ତରଫରୁ ଖେଳୁଛନ୍ତି।