ମୁଖ୍ୟ କୋଚ୍ ପାଇଁ ଦରଖାସ୍ତ ଆହ୍ୱାନ କରିବ ବିସିସିଆଇ, ରାହୁଲ ଦ୍ରାବିଡ ବି କରିପାରିବେ ଆବେଦନ: ଜୟ ଶାହ

Published By : Prameya-News7 Bureau | May 10, 2024 IST

indiatoday

ନୂଆଦିଲ୍ଲୀ: କିଏ ହେବେ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍ ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦରଖାସ୍ତ ଆହ୍ୱାନ କରିବାକୁ ଯାଉଛି। ବର୍ତ୍ତମାନ ମୁଖ୍ୟ କୋଚ୍ ଦାୟିତ୍ୱରେ ଥିବା ରାହୁଲ ଦ୍ରାବିଡ଼ଙ୍କର କାର୍ଯ୍ୟକାଳ ଜୁନ ମାସରେ ହେବ।  ତେଣୁ ଟିମ୍‌ ପାଇଁ ନୂଆ ମୁଖ୍ୟ କୋଚ୍‌ର ନିଯୁକ୍ତି ପାଇଁ ବିସିସିଆଇ ଦରଖାସ୍ତ ଆହ୍ୱାନ କରିବା। ଏନେଇ ବୋର୍ଡର ସେକ୍ରେଟେରୀ ଜୟ ଶାହ ସୂଚନା ଦେଇଛନ୍ତି। ରାହୁଲ ଦ୍ରାବିଡ଼ ଯଦି ଚାହିଁବେ ସେ ମଧ୍ୟ ମୁଖ୍ୟ କୋଚ୍ ପାଇଁ ଆବେଦନ କରିପାରିବେ ବୋଲି ଶାହ କହିଛନ୍ତି। ତେବେ ବିଦେଶୀ ପ୍ରଶିକ୍ଷକଙ୍କ ନିଯୁକ୍ତି ସମ୍ଭାବନାକୁ ସେ ମନା କରି ନାହାନ୍ତି।

ନୂଆ ମୁଖ୍ୟ କୋଚ୍ ନିଯୁକ୍ତି ନେଇ ଆଲୋଚନା ପରେ ବ୍ୟାଟିଂ ବୋଲିଂ, ଓ ଫିଲ୍ଡିଂ ପାଇଁ ମଧ୍ୟ କୋଚ୍ ନିଯୁକ୍ତ କରାଯିବ। ସୂଚନା ଥାଉକି ନଭେମ୍ବର ୨୦୨୩ରେ ଦ୍ରାଭିଡ଼ଙ୍କ କୋଚ୍ ଚୁକ୍ତିନାମାକୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଏବେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। 

କ୍ରିକେଟ୍ ଅପ୍‌ଡେଟ୍ ଦେଉଥିବା ସାଇଟ୍ କ୍ରିକ୍‌ବଜ୍‌କୁ ପ୍ରତିକ୍ରିୟା ଦେଇ ଜୟ ଶାହ କହିଛନ୍ତି “ରାହୁଲଙ୍କର କାର୍ଯ୍ୟକାଳ ଜୁନ ପର୍ଯ୍ୟନ୍ତ ଥିଲା। ତେଣୁ ଯଦି ସେ ଆବେଦନ କରିବାକୁ ଚାହାନ୍ତି, ଆବେଦନ କରିପାରିବେ। ତେବେ ଆମେ କହିପାରିବୁ ନାହିଁ ଯେ ନୂଆ କୋଚ୍ ଭାରତୀୟ ହେବେ କି ବିଦେଶୀ। ଏହା କ୍ରିକେଟ ଉପଦେଷ୍ଟା କମିଟି ଉପରେ ନିର୍ଭର କରେ। ଆମେ ଏକ ବୈଶ୍ୱିକ ସଂସ୍ଥା।” 

ସେହିପରି ଆଇପିଏଲ୍‌ରେ ନୂଆ କରି ଆରମ୍ଭ ହୋଇଥିବା ଇମ୍ପାକ୍ଟ ପ୍ଲେୟାର ନିୟମକୁ ନେଇ ଅଧିକ ଆଲୋଚନା ହେଉଥିବା ବେଳେ ଏନେଇ ମଧ୍ୟ ଶାହ ନିଜର ମତ ରଖିଛନ୍ତି। ସେ କହିଛନ୍ତି “ପରୀକ୍ଷାମୂଳକ ଭାବେ ଇମ୍ପାକ୍ଟ ପ୍ଲେୟାର ନିୟମ ଅଣାଯାଇଥିଲା। ଦୁଇ ନୂଆ ଭାରତୀୟ ଖେଳାଳି ଆଇପିଏଲ୍ ଖେଳିବାକୁ ସୁଯୋଗ ପାଉଥିଲେ। ତେଣୁ ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ ରହିବ କି ନା ସେ ନେଇ ଫ୍ରାଞ୍ଚାଇଜ୍, ବ୍ରଡକାଷ୍ଟର ଆଦି ସମସ୍ତ ଅଂଶୀଦାରମାନଙ୍କ ସହ ଆଲୋଚନା କରିବାକୁ ପଡ଼ିବ। ଏହା ସ୍ଥାୟୀ ନଥିଲା। କିନ୍ତୁ କେହି ଜଣେ ବି ଏହି ନିୟମ ବିରୋଧରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।”

ପଢନ୍ତୁ-IPLରୁ ହଟିବ ଇମ୍ପାକ୍ଟ ପ୍ଲେୟର ନିୟମ ? ଜୟ ଶାହ କହିଲେ- ସ୍ଥାୟୀ ନୁହେଁ, ପୁଣି ହେବ ସମୀକ୍ଷା

ତେବେ ଭିନ୍ନ ଫର୍ମାଟ୍ ପାଇଁ ଭିନ୍ନ ଭିନ୍ନ କୋଚ୍ ରଖିବା ସମ୍ଭାବନାକୁ ମଧ୍ୟ ଶାହ ମନା କରିଛନ୍ତି। ଏହି ନିଷ୍ପତ୍ତି ମଧ୍ୟ କ୍ରିକେଟ ଉପଦେଷ୍ଟା କମିଟି ନେବ। ଟିମ୍‌ରେ ବିରାଟ କୋହଲି, ରୋହିତ ଶର୍ମା, ଋଷବ ପନ୍ତଙ୍କ ଭଳି ସବୁ ଫର୍ମାଟ୍‌ରେ ଖେଳିପାରିବାର କ୍ଷମତା ରଖୁଥିବା ଖେଳାଳି ଅଛନ୍ତି। ତେଣୁ ଭାରତୀୟ ଟିମ୍ ପାଇଁ ଏଭଳି ସ୍ଥିତି ନେଇ ଚିନ୍ତା କରାଯାଇ ନାହିଁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.