ବୟସ ଜାଲିଆତି ଖେଳାଳିଙ୍କୁ ପଡିବ ମହଙ୍ଗା, ପ୍ରକୃତ ବୟସ ଜାଣିବା ପାଇଁ ସଫ୍ଟଓ୍ଵେରର ପ୍ରୟୋଗ କରିବ BCCI

Published By : Prameya-News7 Bureau | July 23, 2022 IST

ନୂଆଦିଲ୍ଲୀ: ବୟସ ଜାଲିଆତି ଖେଳାଳିଙ୍କୁ ପଡିବ ମହଙ୍ଗା, ପ୍ରକୃତ ବୟସ ଜାଣିବା ପାଇଁ ସଫ୍ଟଓ୍ଵେରର ପ୍ରୟୋଗ କରିବ BCCI। ଏବେ ଜଣା ପଡିବ ଖେଳାଳିଙ୍କ ପ୍ରକୃତ ବୟସ କେତେ। ବୟସ ଜାଲିଆତି ଧରିବା ପାଇଁ ବିସିସିଆଇ ଟିଡବ୍ଲ୍ୟୁ୩ ପଦ୍ଧତି ସହିତ ଏକ ସଫ୍ଟଓ୍ଵେର ଉପଯୋଗ କରିବ। ଏହି ସଫ୍ଟଓ୍ଵେର ତୁରନ୍ତ ପ୍ରକୃତ ବୟସ ଜଣାଇବା ସହ ଏହି ବାବଦରେ ଖର୍ଚ୍ଚକୁ ୮୦ ପ୍ରତିଶତ କମ କରିବ। ବୟସ  ଜାଲିଆତି ପ୍ରତି କଠୋର ଥିବା ବିସିସିଆଇ ବୟସ  ଜାଣିବା ପାଇଁ ଟିଡବ୍ଲ୍ୟୁ୩(ବାମହାତର ରିଷ୍ଟର ଏକ୍ସରେ ଉପରେ ଆଧାରିତ)ର ଉପଯୋଗ କରୁଛି।

ବର୍ତ୍ତମାନ ପଦ୍ଧତିରେ ପ୍ରତିଟି ପରୀକ୍ଷଣ ଉପରେ ୨୪୦୦ ଟଙ୍କା ଖର୍ଚ୍ଚ ହେଉଛି ଏବଂ ଏହାର ରିପୋର୍ଟ ଆସିବାରେ ତିନି ଚାରି ଦିନ ସମୟ ଲାଗୁଛି। କିନ୍ତୁ ବୋନଏକ୍ସପର୍ଟ ସଫ୍ଟଓ୍ଵେର ଉପଯୋଗ ଦ୍ଵାରା ପରିଣାମ ଶୀଘ୍ର ଆସିବ ଏବଂ ସେ ପୁଣି ୨୮୮ ଟଙ୍କାରେ। ଏହା ଉପରେ ବିସିସିଆଇର କହିବା କଥା, ସଠିକ୍ ବୟସ ଜାଣିବା ପାଇଁ ବିସିସିଆଇର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଖେଳାଳିଙ୍କ ରିଷ୍ଟର ଏକ୍ସ-ରେ ନିଆଯାଏ ଏବଂ ପୁଣି ରାଜ୍ୟ କ୍ରିକେଟ୍ ସଂଘ ଉକ୍ତ ଏକ୍ସ-ରେ କପିକୁକ ବିସିସିଆଇ ବୟସ ଯାଞ୍ଚ ବିଭାଗ ନିକଟକୁ ପଠାଯାଏ। ବୋର୍ଡ ପ୍ରୟୋଗାତ୍ମକ ଭାବେ ରାଜ୍ୟ ସଂଘ ସହିତ କାମ କରିବ।

ଉଲ୍ଲେଖନୀୟ ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଅନେକ ଥର ବୟସ ଜାଲିଆତିର ଖବର ସାମ୍ନାକୁ ଆସି ସାରିଛି। ୨୦୧୯ ଜୁନରେ ଜାମ୍ମୁ-କାଶ୍ମୀରର ଦ୍ରୁତ ବୋଲର ରସିଖ ଆଲମଙ୍କୁ ତ୍ରୁଟିପୂର୍ଣ୍ଣ ଜନ୍ମ ପ୍ରମାଣ ପତ୍ର ଜମା କରିବା ମାମଲାରେ ଦୁଇ ବର୍ଷ କ୍ରିକେଟରୁ ବାସନ୍ଦ କରିଥିଲା ବିସିସିଆଇ। ଏହା ପରେ ୨୦୨୦ ଅଗଷ୍ଟରେ ବିସିସିଆଇ ପଞ୍ଜୀକୃତ ଖେଳାଳିଙ୍କ ପାଇଁ ସଠିକ୍ ବୟସ ଜାଣିବା ପାଇଁ ଏକ ଯୋଜନା ଆରମ୍ଭ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.