ଚୟନକର୍ତ୍ତା ପଦ ପାଇଁ ପ୍ରସାଦ ସମେତ ଏହି ପାଞ୍ଚ ଖେଳାଳିଙ୍କୁ ଡକାଇଲା ବିସିସିଆଇ, କଟିଲେ ଅଗରକର

Published By : Prameya-News7 Bureau | March 03, 2020 IST

ନୂଆଦିଲ୍ଲୀ ୦୩।୦୩- ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI) ଜାତୀୟ ଚୟନକର୍ତ୍ତା ଚୟନ ପାଇଁ ପାଞ୍ଚ ଖେଳାଳିଙ୍କ ସଟ୍ ଲିଷ୍ଟ ପ୍ରସ୍ତୁତ କରିଛି। ମଙ୍ଗଳବାର ମୁମ୍ଵାଇରେ ଅନୁଷ୍ଠିତ କ୍ରିକେଟ୍ ପରାମର୍ଶଦାତା ସମିତି(ସିଏଏ)ର ବୈଠକରେ ଜାତୀୟ ଚୟନକର୍ତ୍ତା ସମିତିର ଦୁଇଟି ପଦରେ ନିଯୁକ୍ତି ପାଇଁ ପାଞ୍ଚ ପ୍ରାର୍ଥୀଙ୍କ ସାକ୍ଷାତକାର ନେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପାଞ୍ଚ ଜଣଙ୍କ ମଧ୍ୟରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେସ ପ୍ରସାଦଙ୍କ ନାମ ମଧ୍ୟ ସାମିଲ।

ପୂର୍ବତନ କ୍ରିକେଟ୍ ଖେଳାଳି ମଦନଲାଲ, ଆରପି ସିଂହ ଓ ସୁଲକ୍ଷଣା ନାଇକଙ୍କ ସମିତି ୪୪ ଆବେଦନ ଯାଞ୍ଚ କରିବା ପରେ ପାଞ୍ଚ ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନେବାକୁ ନିଷ୍ପତ୍ତି ନେଇଛନ୍ତି। ବିସିସିଆଇ ସୂତ୍ର ଅନୁଯାୟୀ, ତିନି ଜଣିଆ ସମିତି ଭେଙ୍କଟେସ ପ୍ରସାଦ, ପୂର୍ବତନ ସ୍ପିନର ସୁନିଲ ଯୋଶୀ, କ୍ରିକେଟରରୁ ଭାଷ୍ୟକାର ହୋଇଥିବା ଏଲ ଶିବରାମକୃଷ୍ଣନ, ପୂର୍ବତନ ଦ୍ରୁତ ବୋଲର ହରବିନ୍ଦର ସିଂହ ଓ ପୂର୍ବତନ ସ୍ପିନର ରାଜେଶ ଚୌହାନଙ୍କୁ ବୁଧବାର ହେବାକୁ ଥିବା ସାକ୍ଷାତକାର ପାଇଁ ଡକାଇଛନ୍ତି। ମାତ୍ର ଏହି ପାଞ୍ଚ ନାମ ମଧ୍ୟରେ ପୂର୍ବତନ ଦ୍ରୁତ ବୋଲର ଅଜିତ୍ ଅଗରକରଙ୍କ ନାମ ସାମିଲ ନାହିଁ।

ଉଲ୍ଲେଖଯୋଗ୍ୟ, ଏମଏସକେ ପ୍ରସାଦ ଓ ତାଙ୍କର ସାଥୀ ଚୟନକର୍ତ୍ତା ଗଗନ ଖେଡାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ନୂତନ ଚୟନକର୍ତ୍ତାଙ୍କ ଚୟନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.