ଗୋଟିଏ ବର୍ଷରେ ବଦଳିଯିବ ଟିମ୍‌ ଇଣ୍ଡିଆ, ଟି-୨୦ କ୍ରିକେଟ୍‌ରୁ ବାଦ୍‌ ପଡିବେ ସିନିୟର ଖେଳାଳି

Published By : Prameya-News7 Bureau | November 11, 2022 IST

ମୁମ୍ବାଇ ୧୧।୧୧ : ଟି-୨୦ ବିଶ୍ୱକପ୍‌ରେ ଶୋଚନୀୟ ପରାଜୟ ପରେ ଆକ୍ସନକୁ ଆସିଛି ବିସିସିଆଇ । ଇଂଲଣ୍ଡଠୁ ୧୦ ଓ୍ୱିକେଟ୍‌ରେ ପରାସ୍ତ ପରେ ଏବେ ବରିଷ୍ଠ ଖେଳାଳୀମାନେ ବୋର୍ଡ ସ୍କାନରରେ । ଆଗାମୀ ଏକ ବର୍ଷ ମଧ୍ୟରେ ବଦଳିପାରେ ଟିମ୍‌ ହୋଇପାରେ ନବକଳେବର । ବାଦ୍‌ ପଡିପାରନ୍ତି ଅନେକ ଖେଳାଳି ।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ବିସିସିଆଇ ଏବେ ପୁରା ଆକ୍ସନ ମୋଡ଼କୁ ଆସିଛି । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ, ଓ୍ୱିକେଟ୍‌ କିପର ଦିନେଶ କାର୍ତ୍ତିକଙ୍କ ଏହା ଶେଷ ଟି-୨୦ ବିଶ୍ୱକପ୍‌ । ଆସନ୍ତା ଟି-୨୦ ବିଶ୍ୱକପ୍‌କୁ ଦୁଇ ବର୍ଷ ଅଛି । ଏହାରି ଭିତରେ ବିସିସିଆଇ ଭବିଷ୍ୟତ ନେଇ ଅନେକ ଯୋଜନା କରୁଛି । ଖାସ୍‌ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ର ଅଧିନାୟକ ରୂପେ ବିସିସିଆଇ ନଜର ରଖିଛି । ଏହାକୁ ନଜର ରଖିଲେ ଆଗାମୀ ଟି-୨୦ ବିଶ୍ୱକପ୍‌ରେ ହାର୍ଦ୍ଦିକ ଟିମ୍‌ର ଅଧିନାୟକ ହୋଇପାରନ୍ତି ।

ବିସିସିଆଇ କୌଣସି ଖେଳାଳିଙ୍କୁ ସନ୍ୟାସ ନେବା କଥା କହୁନାହିଁ କି ସେମାନଙ୍କ ଉପରେ ଚାପ ପକାଉନାହିଁ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ୨୦୨୩ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରୁ ବରିଷ୍ଠ ଖେଳାଳିକୁ ବାଦ୍‌ ଦିଆଯାଇପାରେ । ସେହି ଖେଳାଳିମାନଙ୍କୁ ଟେଷ୍ଟ ଓ ଦିନିକିଆରେ ସୁଯୋଗ ଦିଆଯିବ । ତାଙ୍କ ସ୍ଥାନରେ ଯୁବ ଖେଳାଳି ସୁଯୋଗ ଦିଆଯିବ । ଯଦି ବିସିସିଆଇ ଏପରି ନିଷ୍ପତ୍ତି ନିଏ । ତେବେ ବିରାଟ, ରୋହିତଙ୍କ ପରି ଅନେକ ବରିଷ୍ଠ ଖେଳାଳିଙ୍କୁ ଆଉ ଟି-୨୦ ବିଶ୍ୱକପ୍‌ରେ ଦେଖିବାକୁ ମିଳିବନାହିଁ ।

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍‌ରେ ବିରାଟଙ୍କୁ ୩୪ ବର୍ଷ ହୋଇଥିବା ବେଳେ ରୋହିତଙ୍କୁ ୩୫ ବର୍ଷ ହୋଇଛି । କୋହଲି ୬ମ୍ୟାଚ୍‌ରେ ସବୁଠୁ ଅଧିକା ୨୯୬ ରନ୍‌ କରିଛନ୍ତି । ଏଥିରେ ୪ଟି ଅର୍ଦ୍ଧଶତକ ରହିଛି । କିନ୍ତୁ ରୋହିତ ୬ଟି ମ୍ୟାଚ୍‌ରେ ୧୧୬ ରନ୍‌ ହିଁ କରିଛନ୍ତି । ଏଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି । ସେହିପରି ଅଶ୍ୱିନୀ ୬ଟି ମ୍ୟାଚ୍‌ ଖେଳି ୬ଟି ଓ୍ୱିକେଟ୍‌ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.