ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ ଫଟାଫଟ୍ କ୍ରିକେଟ୍ର ମହାକୁମ୍ଭ ଇଣ୍ଡିଆନ୍ ପ୍ରିମିୟର ଲିଗ୍। ଏନେଇ ଯୋଜନା କରୁଛି BCCI। ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୁମଲ। ସାଧାରଣ ନିର୍ବାଚନ ସତ୍ତ୍ୱେ ପୂରା ଟୁର୍ଣ୍ଣାମେଣ୍ଟ କେବଳ ଭାରତରେ ଖେଳାଯିବ। ଏପ୍ରିଲ ଏବଂ ମେ ମାସରେ ଦେଶରେ ନିର୍ବାଚନ ହେବା ଆଶା କରାଯାଉଛି। ଆଇପିଏଲର ସପ୍ତଦଶ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ପ୍ରାରମ୍ଭରେ କେବଳ ପ୍ରଥମ ୧୫ ଦିନର କାର୍ଯ୍ୟସୂଚୀ ପ୍ରକାଶ ପାଇବ। ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଅବଶିଷ୍ଟ ମ୍ୟାଚ୍ ତାଲିକା ସ୍ଥିର ହେବ। ତେବେ ଫାଇନାଲ ମ୍ୟାଚ୍ ମେ ୨୬ରେ ହେବାର ସମ୍ଭାବନା ରହିଛି।
ଆସନ୍ତା ମାସ ଆରମ୍ଭରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଏନେଇ IPL ଚେୟାରମ୍ୟାନ କହିଛନ୍ତି 'ଆମେ ମାର୍ଚ୍ଚ ୨୨ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଆଶା କରୁଛୁ। ଆମେ ସରକାରୀ ଏଜେନ୍ସିଗୁଡିକ ସହିତ ଯୋଗାଯୋଗରେ ରହିଛୁ। ପ୍ରଥମେ ପ୍ରାରମ୍ଭିକ କାର୍ଯ୍ୟସୂଚୀ ପ୍ରକାଶ କରିବୁ। ଟୁର୍ଣ୍ଣାମେଣ୍ଟ ସବୁ ମ୍ୟାଚ୍ ଭାରତରେ ଖେଳାଯିବ।
କେବଳ ୨୦୦୯ରେ ହୋଇଥିବା ଆଇପିଏଲ୍ ସମ୍ପୁର୍ଣ୍ଣ ବିଦେଶରେ ଅର୍ଥାତ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା। ସେହିପରି ୨୦୧୪ରେ ସାଧାରଣ ନିର୍ବାଚନ ହେତୁ ୟୁଏଇରେ କିଛି ମ୍ୟାଚ୍ ଖେଳାଯାଇଥିଲା। ତେବେ ୨୦୧୯ରେ ସାଧାରଣ ନିର୍ବାଚନ ସତ୍ତ୍ୱେ ଭାରତରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଆଇପିଏଲ ଶେଷ ହେବାର କିଛି ଦିନ ପରେ ଆରମ୍ଭ ହେବ ଟି -20 ବିଶ୍ୱକପ।
ଚଳିତ IPL season ପାଇଁ ଖେଳାଳି ନିଲାମ ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା। ଏହି ନିଲାମରେ ୩୦୦ରୁ ଅଧିକ ଖେଳାଳିଙ୍କ ମଧ୍ୟରୁ କେବଳ ୭୨ ଜଣଙ୍କ ଉପରେ ନିଲାମୀ ରଖାଯାଇଥିଲା। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ। ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୪.୭୫ କୋଟିରେ କିଣିଛି।
ସେହିପରି ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଛି। ଏହି ନିଲାମରେ ୬ ଜଣ ଖେଳାଳିଙ୍କ ଉପରେ ୧୦ କୋଟିରୁ ଅଧିକ ଟଙ୍କାରେ କିଣାଯାଇଛି। ଭାରତରୁ ହର୍ଷଲ ପଟେଲଙ୍କୁ ନିଲାମରେ ସବୁଠାରୁ ମହଙ୍ଗା ରହିଛନ୍ତି। ତାଙ୍କୁ ୧୧.୭୫ କୋଟିରେ କିଣିଛି ପଞ୍ଜାବ କିଙ୍ଗସ।