ରୋହିତ ବ୍ରିଗେଡର କ୍ଲିନ ସୁଇପ୍‌ ପରାଜୟକୁ ନେଇ ଆକ୍ସନ ମୁଡରେ ବିସିସିଆଇ, ଟାର୍ଗେଟ୍‌ରେ ବରିଷ୍ଠ ଖେଳାଳି

Published By : Prameya-News7 Bureau | November 03, 2024 IST

ନୂଆଦିଲ୍ଲୀ: ଶେଷ ଟେଷ୍ଟରେ ନ୍ୟୁଜିଲାଣ୍ଡଠୁ ହାରି ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୦-୩ରେ କ୍ଲିନସୁଇପ୍‌ର ଶିକାର ହୋଇଛି। ଭାରତର ଏହି ଲଜ୍ଜାଜନକ ପରାଜୟ ପାଇଁ ଅଧିନାୟକ ରୋହିତ ଶର୍ମା ନିଜକୁ ଦାୟୀ କରିଛନ୍ତି। ଏହି ପରାଜୟକୁ ସହଜରେ କେହି ଗ୍ରହଣ କରି ପାରୁ ନାହାନ୍ତି। ଏବେ ରୋହିତଙ୍କ ଅଧିନାୟକତ୍ଵ, ତାଙ୍କ ବ୍ୟାଟିଂ, ବିରାଟ କୋହଲିଙ୍କ ସମେତ ଅନେକ ବରିଷ୍ଠ ଖେଳାଳିଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ବରିଷ୍ଠ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉପରେ ବିଚାର କରୁଛି। ବିସିସିଆଇ ଦଳ ପ୍ରଦର୍ଶନର ମୂଲ୍ୟାଙ୍କନ କରିବ ଓ ଅଷ୍ଟ୍ରେଲିଆ ଗସ୍ତ ପରେ କିଛି ଖେଳାଳିଙ୍କ ଟେଷ୍ଟ କ୍ରିକେଟ୍‌ରେ କ୍ୟାରିୟର ଉପରେ ବଡ଼ ନିଷ୍ପତ୍ତି ନେବ। ବିସିସିଆଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ପରବର୍ତ୍ତୀ ଚକ୍ର ଆରମ୍ଭ  ହେବା ପୂର୍ବରୁ ଅନୁଭବୀ ଖେଳାଳିଙ୍କୁ ପର୍ଯ୍ୟାୟକ୍ରମେ ବାହାରର ରାସ୍ତା ଦେଖାଇବାକୁ ମନସ୍ଥ କରି ସାରିଛି। ଏହାର ସମ୍ଭାବନା ଅଧିକ ଯେ, ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ ଅଶ୍ଵିନଙ୍କ ମଧ୍ୟରୁ ଅତି କମରେ ଦୁଇ ଜଣଙ୍କ ପାଇଁ ଅନ୍ତିମ ଟେଷ୍ଟ ସିରିଜ୍ ହୋଇପାରେ। କାରଣ ଏହି ଚାରି ଖେଳାଳି ନିଜ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲେଣି।

Also read: ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ଟିକେଟ୍ ଦର ଘୋଷଣା କଲା ଓସିଏ

ରୋହିତଙ୍କୁ ଭାରତର ଟେଷ୍ଟ ଭବିଷ୍ୟତ ବିଷୟରେ ପ୍ରଶ୍ନ ହେବାରୁ ସେ କହିଛନ୍ତି, ମୋତେ ଲାଗୁନି ଆମେ ଏତେ ଆଗକୁ ଏବେ ଭାବିବା। ଆଗାମୀ ସିରିଜ୍ ଉପରେ ଧ୍ୟାନ ଦେବା ମହତ୍ଵପୂର୍ଣ୍ଣ ଅଟେ। ମୁଁ ଅଷ୍ଟ୍ରେଲିଆ ସିରିଜ୍‌ଠୁ ଆଗକୁ ଆହୁରି ଦେଖୁନାହିଁ। କାରଣ ଆମ ପାଇଁ ବର୍ତ୍ତମାନ ଅଷ୍ଟ୍ରେଲିଆ ସିରିଜ୍ ହିଁ ବଡ଼ ପ୍ରାଥମିକତା।ବିସିସିଆଇର ଅଧିକାରୀ, ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବରିଷ୍ଠ ଖେଳାଳିଙ୍କ ସହିତ ଆଗକୁ ବଢିବା ନେଇ ଆଲୋଚନା  ହୋଇପାରେ। 

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନିଶ୍ଚିତ ଭାବେ ପରାଜୟର ଆକଳନ କରାଯିବ ଏବଂ ଏହା ଅଣ ଆନୁଷ୍ଠାନିକ ରହିପାରେ।କାରଣ ଦଳ ନଭେମ୍ବର ୧୦ ତାରିଖରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ। ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ଆମର ବଡ଼ ପରାଜୟ। ମାତ୍ର ଅଷ୍ଟ୍ରେଲିଆ ସିରିଜ୍ ନିକଟତର ଏବଂ ଦଳ ପୂର୍ବରୁ ଘୋଷଣା ହୋଇ ସାରିଛି। ଏଥିପାଇଁ ଏବେ ଦଳରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଭାରତ ଯଦି ଇଂଲଣ୍ଡରେ ଖେଳା ଯିବାକୁ ଥିବା ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ ନ କରେ, ତେବେ ଏହାର ସମ୍ଭାବନା ଅଧିକ ଯେ ଏହି ଚାରି ଖେଳାଳିଙ୍କ ମଧ୍ୟରୁ କିଛି ନାମ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରୁ ବାଦ୍ ପଡ଼ିବେ। ଏହି ଚାରି ଖେଳାଳି ଘରୋଇ ମଇଦାନରେ ସମ୍ଭବତଃ ଏକାଠି ନିଜର ଶେଷ ଟେଷ୍ଟ ଖେଳିଛନ୍ତି।  

୨୦୧୧ର କାହାଣୀ ଦୋହରାଇବାକୁ ଚାହୁଁନି ବିସିସିଆଇ

କୁହାଯାଉଛି ବିସିସିଆଇଇ ୨୦୧୧ର କାହାଣୀକୁ ଦୋହରାଇବାକୁ ଚାହୁଁନି। ଏହାର କାରଣ ବର୍ତ୍ତମାନ ଦଳର ପ୍ରଦର୍ଶନ ନିମ୍ନଗାମୀ ରହିଛି। ମୁଖ୍ୟ ଚୟନକର୍ତ୍ତା ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ବରିଷ୍ଠ ଖେଳାଳିଙ୍କ ସହ ଆଗାମୀ ଯୋଜନା ବିଷୟରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି। ଭାରତୀୟ ଦଳ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରେ ଏବେ ବି ରହିଛି। ଯଦି ଦଳ ଫାଇନାଲ୍‌ରେ ପ୍ରବେଶ ନ କରେ ତେବେ ପରବର୍ତ୍ତୀ ଡବ୍ଲ୍ୟୁଟିସି ଚକ୍ରରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଦଳରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ନୂଆ ଚକ୍ରର ଆରମ୍ଭ ଜୁନ ୨୦ରୁ ହେବାକୁ ଯାଉଛି। ଚୟନ କମିଟି ସାଇ ସୁଦର୍ଶନ, ଦେବଦତ୍ତ ପାଡିକଲଙ୍କ ପରି ଖେଳାଳିଙ୍କୁ ସୁଯୋଗ ଦେଇ ଦୀର୍ଘକାଳୀନ ସମ୍ଭାବନା ଉପରେ ବିଚାର କରିବାକୁ ବାଧ୍ୟ ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.