ବଦଳିବେ କି ଟିମ୍ ଇଣ୍ଡିଆର କୋଚ୍ ଓ ଅଧିନାୟକ ? ବିସିସିଆଇ ବୈଠକରେ ନିଆଯିବ ନିଷ୍ପତ୍ତି
21/12/2022 at 10:55 AM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ଗୁରୁତ୍ବପୂର୍ଣ୍ଣ ବୈଠକ । ବୁଧବାର କୋଚ୍ ଓ ଅଧିନାୟକ ପରିବର୍ତ୍ତନ ଉପରେ ହେବ ଆଲୋଚନା। ଟି-୨୦ ବିଶ୍ବକପରେ ଟମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ଉପରେ ହୋଇପାରେ ଆଲୋଚନା । ଭାରତୀୟ ଦଳ ସେମିଫାଇନାଲରେ ଇଂଲଣ୍ଡ ଠାରୁ ୧୦ ଓ୍ବିକେଟରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଏହା ପରେ ଟି-୨୦ରେ ଅଧିନାୟକ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକଙ୍କୁ ଦାୟିତ୍ବ ମିଳିବା ଉପରେ ବିସିସିଆଇ ବଡ଼ ନିଷ୍ପତ୍ତି ନେଇପାରେ ।
ଦିନିକିଆ ବିଶ୍ବକପ ପୂର୍ବରୁ ଭାରତୀୟ ଦଳରେ ଆମୁଳଚୂଳ ପରିବର୍ତ୍ତନ ହୋଇପାରେ। ଟି-୨୦ରୁ ରୋହିତ୍ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇପାରେ ବିସିସିଆଇ । ଟି-୨୦ ଓ ଦିନିକିଆରେ ୨ଜଣ ଅଧିନାୟକ ରହିବା ନେଇ ଚର୍ଚ୍ଚା ଜୋରଧରିଛି । ସେହିପରି କୋଚ୍ ରାହୁଲ ଡ୍ରାବିଡ ମଧ୍ୟ ଡେଞ୍ଜର ଲାଇନରେ ରହିଛନ୍ତି । କୋଚ୍ ପରିବର୍ତ୍ତନ ନେଇ ମଧ୍ୟ ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ ।
ଟିମ୍ ଇଣ୍ଡିଆର ଷ୍ଟାର ଅଲରାଣ୍ଡର ହାର୍ଦ୍ଦିକ ପାଣ୍ଡିଆଙ୍କୁ ଟି-୨୦ରେ ଫୁଲ୍ ଟାଇମ୍ ଅଧିନାୟକ କରିବା ନେଇ ଚର୍ଚ୍ଚା ହେଉଛି । ଆଗକୁ ଶ୍ରୀଲଙ୍କା ସହିତ ଭାରତୀୟ ଦଳ ସରିଜ୍ ରହିଛି। ଏହି ଟି-୨୦ ସିରିଜରେ ପାଣ୍ଡିଆଙ୍କୁ ଦାୟିତ୍ବ ଦିଆଯାଇପାରେ ।