ଭାରତୀୟ ଦଳର ଘରୋଇ ଖେଳସୂଚୀ ଘୋଷଣା କଲା BCCI, ବାରବାଟୀକୁ ମିଳିଲାନି ଗୋଟିଏ ବି ମ୍ୟାଚ୍
25/07/2023 at 11:59 PM

ନୂଆଦିଲ୍ଲୀ: ବିସିସିଆଇ ମଙ୍ଗଳବାର ଭାରତୀୟ ଦଳର ଘରୋଇ ସିଜିନ ୨୦୨୩-୨୪ର ଖେଳସୂଚୀ ଘୋଷଣା କରିଛି। ଭାରତୀୟ ଦଳ ଘରୋଇ ସିଜିନରେ ମୋଟ୍ ୧୬ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ। ମୋଟାମୋଟି ୩ ଦେଶ ବିରୋଧରେ ଚାରୋଟି ଶୃଙ୍ଖଳା ଖେଳାଯିବ। ଭାରତକୁ ୫ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୮ଟି ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଖେଳିବାକୁ ହେବ। ଏହି ଖେଳସୂଚୀ ଆସନ୍ତାବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ନିର୍ଦ୍ଧାରିତ ରହିଛି। ଏଥିରେ ଦିନିକିଆ ବିଶ୍ଵକପ୍ ୨୦୨୩ର ଖେଳସୂଚୀ ନାହିଁ, ଯାହା ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବ। ହେଲେ ଗୋଟିଏ ହେଲେ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମକୁ ମିଳିନାହିଁ।
ଅଧିକ ପଢନ୍ତୁ- WTC ୨୦୨୩-୨୫ : ସିରିଜ୍ ଜିତି ବି କ୍ଷତିରେ ଟିମ୍ ଇଣ୍ଡିଆ, ପଛରେ ପକାଇଲା ପାକିସ୍ତାନ
ପୁଣି ଥରେ ନିରାଶ ବାରବାଟୀ ଷ୍ଟାଡିୟମ ଏବଂ ଓଡ଼ିଶାର କ୍ରିକେଟ୍ ପ୍ରେମୀ। ଆଶା କରାଯାଉଥିଲା ଅଷ୍ଟ୍ରେଲିଆ କିମ୍ବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରୁ କୌଣସି ଗୋଟିଏ ମ୍ୟାଚ୍ ବାରବାଟୀ ଷ୍ଟାଡିୟମକୁ ମିଳିବ। କାରଣ ଏହି ଦୁଇ ସିରିଜରେ ଭାରତ ୮ଟି ଟି-୨୦ ମ୍ୟାଚ୍ ଖେଳିବ। ହେଲେ ବାରବାଟୀ ଭାଗକୁ ଗୋଟିଏ ହେଲେ ମ୍ୟାଚ୍ ମିଳିନାହିଁ। ଯାହା ନିଶ୍ଚିତ ରୂପେ ଓସିଏ ଏବଂ ଓଡିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଦୁର୍ଭାଗ୍ୟର ବିଷୟ। ଏହି ଐତିହାସିକ ଷ୍ଟାଡିୟମରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଗତ ବର୍ଷ ଜୁନ ୧୨ ତାରିଖରେ ଖେଳାଯାଇଥିଲା। ଉକ୍ତ ମ୍ୟାଚ୍ ଟି-୨୦ ଥିଲା ଏବଂ ଏହା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିଲା।

ଭାରତ ବିଶ୍ଵକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଏବଂ ପ୍ରଥମ ମ୍ୟାଚ୍ ମୋହାଲିରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୪ ଇନ୍ଦୋରରେ ଏବଂ ତୃତୀୟ ମ୍ୟାଚ୍ ସେପ୍ଟେମ୍ବର ୨୭ ରାଜକୋଟରେ ଖେଳାଯିବ। ଏହା ପରେ ଦୁଇ ଦଳ ବିଶ୍ଵକପ୍ ସରିବା ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବେ। ପ୍ରଥମ ଟି-୨୦ ନଭେମ୍ବର ୨୩ ବିଶାଖାପଟ୍ଟନମରେ, ଦ୍ଵିତୀୟ ଟି-୨୦ ନଭେମ୍ବର ୨୬ ତିରୁଅନନ୍ତପୁରମରେ, ତୃତୀୟ ମ୍ୟାଚ୍ ନଭେମ୍ବର ୨୮ ଗୌହାଟୀରେ, ଚତୁର୍ଥ ମ୍ୟାଚ୍ ଡିସେମ୍ବର ୧ ନାଗପୁରରେ ଏବଂ ପଞ୍ଚମ ମ୍ୟାଚ୍ ଡିସେମ୍ବର ୩ ତାରିଖ ହାଇଦ୍ରାବାଦରେ ଖେଳାଯିବ।
ଅଧିକ ପଢନ୍ତୁ- ୨୦୧୧ ବିଶ୍ୱ କପ ଫାଇନାଲର ସ୍ମୃତିକୁ ତାଜା କଲା ବାରବାଟୀ, ‘ବନ୍ଦେ ମାତରମ’ରେ ପ୍ରକମ୍ଫିତ ହେଲା ପୂରା ଷ୍ଟାଡିୟମ, ଦେଖନ୍ତୁ ଭିଡ଼ିଓ
ଭାରତର ଅଷ୍ଟ୍ରେଲିଆ ସିରିଜ୍ ପରେ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବ। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍ ଜାନୁଆରୀ ୧୧ରେ ମୋହାଲି, ଦ୍ଵିତୀୟ ମ୍ୟାଚ୍ ଜାନୁଆରୀ ୧୪ରେ ଇନ୍ଦୋର ଏବଂ ତୃତୀୟ ଟି-୨୦ ଜାନୁଆରୀ ୧୭ରେ ବେଙ୍ଗାଲୁରୁରେ ଖେଳାଯିବ। ଏହା ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ। ପ୍ରଥମ ଟେଷ୍ଟ ଜାନୁଆରୀ ୨୫ରୁ ହାଇଦ୍ରାବାଦରେ ଖେଳାଯିବ। ସେହିପରି ଦ୍ଵିତୀୟ ଟେଷ୍ଟ ଫେବୃଆରୀ ୨ରୁ ବିଶାଖାପଟ୍ଟନମ, ତୃତୀୟ ଟେଷ୍ଟ ଫେବୃଆରୀ ୧୫ରେ ରାଜକୋଟ୍, ଚତୁର୍ଥ ମ୍ୟାଚ୍ ଫେବୃଆରୀ ୨୩ରେ ରାଞ୍ଚି ଏବଂ ପଞ୍ଚମ ଟେଷ୍ଟ ମାର୍ଚ୍ଚ ୭ରୁ ଧର୍ମଶାଳାରେ ଖେଳାଯିବ।