ସ୍ୱଚ୍ଛ ତାଲିକାରେ ପଛରେ ଓଡିଶା, ଟପ୍ ୧୦୦ରେ ନାହିଁ ଭୁବନେଶ୍ୱର

Published By : Prameya-News7 Bureau | November 21, 2021 IST

ଭୁବନେଶ୍ୱର ୨୧/୧୧: ସ୍ୱଚ୍ଛତାରେ ପଛୁଆ ଓଡ଼ିଶା । ଏତେ ପଛୁଆ ଯେ, ସ୍ୱଚ୍ଛ ତାଲିକାରେ ଦୂର ଦୂର ଯାଏ ରାଜ୍ୟର ଚିହ୍ନବର୍ଣ୍ଣ ନାହିଁ । ପ୍ରମୁଖ ୧୩ ରାଜ୍ୟ (୧୦୦ ପୌରାଞ୍ଚଳରୁ ଅଧିକ ଥିବା ରାଜ୍ୟ) ବର୍ଗରେ ଓଡ଼ିଶାର ସ୍ଥାନ ୯ ନମ୍ବରରେ ଅଛି । ଅର୍ଥାତ୍‌ ଆମେ ତଳ ଆଡୁ ୫ ନମ୍ବରରେ ଅଛୁ । ଯେଉଁ ନମ୍ବର-୧ ସ୍ମାର୍ଟ ସିଟି ଭୁବନେଶ୍ୱରକୁ ନେଇ ଆମେ ଗର୍ବ କରୁଛୁ, ତା’ର ସ୍ଥିତି ଅତି ଦୟନୀୟ । ସ୍ୱଚ୍ଛ ସହର ବର୍ଗରେ ୧୦୦ ସହର ଭିତରେ ବି ଭୁବନେଶ୍ୱରର ସ୍ଥାନ ନାହିଁ । ୩୭୨ ସହର ଭିତରେ ଆମ ରାଜଧାନୀ ରହିଛି ୧୪୪ ନଂରେ ।ଆଜି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ତାଲିକା ପ୍ରକାଶ ପାଇଛି । ଶ୍ରେଷ୍ଠ ସ୍ୱଚ୍ଛ ସହର ଓ ରାଜ୍ୟଗୁଡିକୁ ନିଜେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି । କିନ୍ତୁ ଏହି ତାଲିକା ପ୍ରକାଶ ପାଇବା ପରେ ଜାତୀୟସ୍ତରରେ ଓଡ଼ିଶାର ମୁଣ୍ଡ ତଳକୁ ହୋଇଯାଇଛି । ପଡ଼ୋଶୀ ଛତିଶଗଡ଼ ଶ୍ରେଷ୍ଠ ସ୍ୱଚ୍ଛ ରାଜ୍ୟ ହୋଇଛି । ଏହାର ବହୁ ସହର ସ୍ୱଚ୍ଛତା ପାଇଁ ପୁରସ୍କୃତ ହୋଇଥିବାବେଳେ ଓଡ଼ିଶାର ସହରଗୁଡିକ ଢେର୍‌ ପଛୁଆ ରହିଛନ୍ତି ।ସ୍ୱଚ୍ଛତାର ବିଭିନ୍ନ ମାପଦଣ୍ଡକୁ ବିଚାରକୁ ନେଇ ସର୍ବେକ୍ଷଣ ହୋଇଥିଲା ।

ଏହି ସ୍ୱଚ୍ଛତା ରେସ୍‌ ପାଇଁ ମୋଟ ନମ୍ବର ୭୦୦୦ ରଖାଯାଇଥିଲା । ମୋଟ ୭୦୦୦ ନମ୍ବରରୁ ସର୍ଭିସ୍‌ ଲେଭଲ ପ୍ରୋଗ୍ରେସ୍‌ (ଏସଏଲ୍‌ପି) ପାଇଁ ସର୍ବାଧିକ ୨୦୦୦ ନମ୍ବର ରହିଥିଲା । ଏସଏଲ୍‌ପି ଅଧୀନରେ ସଂଗୃହୀତ ହେଉଥିବା ଅଳିଆ ବା ବର୍ଜ୍ୟ ଓଦା ଏବଂ ଶୁଖିଲା ଅଲଗା ଅଲଗା ଭାବେ ପୃଥୀକରଣ ହେଉଛି କି ନା? ଏଥିପାଇଁ ୬୦୦ ନମ୍ବର ରହିଥିଲା । ଅଳିଆ ସଂଗ୍ରହ ପରେ ଏହାର ପ୍ରକ୍ରିୟାକରଣ ବା ଟ୍ରିଟ୍‌ମେଣ୍ଟ ପାଇଁ ୮୦୦ ନମ୍ବର ଓ ସ୍ୱଚ୍ଛତାର ସ୍ଥାୟିତ୍ୱ ପାଇଁ ୬୦୦ ନମ୍ବର ଥିଲା । ସହରର ସ୍ୱଚ୍ଛତାକୁ ନେଇ ବରିଷ୍ଠ ନାଗରିକମାନେ କେତେ ଖୁସି? ସ୍ୱଚ୍ଛ ସର୍ବେକ୍ଷଣରେ ଲୋଡ଼ା ଯାଇଥିବା ମତାମତ ପାଇଁ ୨୨୫୦ ନମ୍ବର ରହିଥିଲା । ସେହିଭଳି ଆବର୍ଜନାମୁକ୍ତ ସହର (ଜିଏଫ୍‌ସି), ଖୋଲା ମଳତ୍ୟାଗମୁକ୍ତ ସହର(ଓଡିଏଫ୍‌) ଏବଂ ୱାଟର ପ୍ଲସ୍‌ ଭଳି ସାର୍ଟିଫିକେସନ୍‌ ପାଇଁ ୨୨୫୦ ନମ୍ବର ରହିଥିଲା । ପରିମଳ ସମ୍ବନ୍ଧୀୟ ବିଭିନ୍ନ ଦସ୍ତାବିଜ୍‌ ଯାଞ୍ଚ ସହ କେନ୍ଦ୍ରୀୟ ଟିମ୍‌ ବିଭିନ୍ନ ସହର ଓ ଜିଲ୍ଲାକୁ ଯାଇ ସର୍ବେକ୍ଷଣ କରିଥିଲେ । ଏହି ଆଧାରରେ ନମ୍ବର ଦିଆଯାଇଥିଲା । ଯେଉଁ ସହର ବା ଜିଲ୍ଲା ଯେତେ ଅଧିକ ନମ୍ବର ରଖିଥିଲେ ସେମାନେ ଅଧିକ ର‌୍ୟାଙ୍କ ପାଇଛନ୍ତି ।୧୦୦ ପୌରାଞ୍ଚଳ ଥିବା ୧୩ଟି ରାଜ୍ୟକୁ ନେଇ ଯେଉଁ ସର୍ବେକ୍ଷଣ ହୋଇଥିଲା ସେଥିରେ ଛତିଶଗଡ଼ ଏକ ନମ୍ବରରେ ରହିଛି । ତା’ ପଛକୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ ରହିଛନ୍ତି । ଏହା ପରେ ଓଡ଼ିଶା ରହିଛି ।

ଦେଶରେ ୧ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ୩୭୨ଟି ସହର ମଧ୍ୟରେ ହୋଇଥିବା ସ୍ୱଚ୍ଛତା ରେସ୍‌ରେ ଓଡ଼ିଶାର ମାତ୍ର ୯ଟି ସହର ଅଛନ୍ତି । ରାଜ୍ୟର ସହରଗୁଡିକ ଭିତରେ ବ୍ରହ୍ମପୁର ଭଲ ପ୍ରଦର୍ଶନ କରିଛି । ଏହା ସ୍ୱଚ୍ଛତା ତାଲିକାରେ ୫୬ନଂ ସ୍ଥାନରେ ରହିଛି । ଏଥିପାଇଁ ବ୍ରହ୍ମପୁରକୁ ବେଷ୍ଟ ମିଡିୟମ୍‌ ସିଟି ଇନ୍‌ ଇନୋଭେସନ୍‌ ଆଣ୍ଡ ବେଷ୍ଟ ପ୍ରାକ୍ଟିସେସ୍‌ ପୁରସ୍କାର ମିଳିଛି । ବ୍ରହ୍ମପୁର ପରେ ରାଉରକେଲା ତାଲିକାରେ ୫୭ନଂ ସ୍ଥାନରେ ରହିଛି । ବାଲେଶ୍ୱର ୧୦୯, ପୁରୀ ୧୨୫, ଭୁବନେଶ୍ୱର ୧୪୪, କଟକ ୧୬୨, ସମ୍ବଲପୁର ୧୬୭, ବାରିପଦା ୨୦୨ ଓ ଭଦ୍ରକ ୨୬୧ ନଂ ସ୍ଥାନରେ ରହିଛି ।ଦେଶର ୬୫୪ ଜିଲ୍ଲାକୁ ନେଇ ହୋଇଥିବା ସର୍ବେକ୍ଷଣରେ ୧୦୦ ଭିତରେ ରାଜ୍ୟର ଗୋଟିଏ ବି ଜିଲ୍ଲା ନାହିଁ । ଆଦିବାସୀବହୁଳ ଜିଲ୍ଲା ସୁନ୍ଦରଗଡ଼ ଏହି ତାଲିକାରେ ୧୦୪ତମ ସ୍ଥାନରେ ଅଛି । ଯାହାକି ରାଜ୍ୟ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ । ତାଲିକାରେ ଗଞ୍ଜାମ ୧୨୫ ର‌୍ୟାଙ୍କରେ ରହିଥିବାବେଳେ ପୁରୀ ୧୫୪, ସୋନପୁର, ୧୮୪, ଖୋର୍ଦ୍ଧା ୧୪୨, କଟକ ୨୦୩ ଓ ରାୟଗଡ଼ା ୩୭୫ ସ୍ଥାନରେ ରହିଛି ।ରାଜ୍ୟର ୬୮ଟି ପୌରାଞ୍ଚଳ ଓଡିଏଫ୍‌ ପ୍ଲସ୍‌ ବା ଖୋଲାରେ ମଳତ୍ୟାଗ ମୁକ୍ତ ଚିହ୍ନଟ ହୋଇଥିବାବେଳେ ୨୧ ପୌରାଞ୍ଚଳ ଓଡିଏଫ୍‌ ପ୍ଲସ୍‌ ପ୍ଲସ୍‌ ତାଲିକାଭୁକ୍ତ ହୋଇଛି । ସେହିଭଳି ଆବର୍ଜନାମୁକ୍ତ ସହର (ଜିଏଫ୍‌ସି) ତାଲିକାରେ ରାଉରକେଲା ରାଜ୍ୟର ଏକମାତ୍ର ସହର ଭାବେ ମାତ୍ର ୱାନ୍‌ ଷ୍ଟାର ସାର୍ଟିଫିକେଟ୍‌ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.