୨ ଦିନ ଯାଏଁ ଲଗାଣ ବର୍ଷା, ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ଭୁବନେଶ୍ୱରରେ ଭାଙ୍ଗିବ ୬୩ ବର୍ଷର ରେକର୍ଡ !

Published By : Prameya-News7 Bureau | September 13, 2021 IST

ଭୁବନେଶ୍ୱର, ୧୩|୦୯:  ଆସନ୍ତା ୨ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ପ୍ରବଳରୁ ପ୍ରବଳତର ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ରବିବାର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ସୋମବାର ପାଇଁ ପଶ୍ଚିମ ଓଡିଶାର ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ସମ୍ବଲପୁର, ଦେବଗଡ, ଅନୁଗୁଳ, ସୋନପୁର ଏବଂ ବରଗଡ ଜିଲ୍ଲାପାଇଁ ପ୍ରବଳରୁ ପ୍ରବଳତର ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ, ବୈାଦ୍ଧ, କେନ୍ଦୁଝର, ଢେଙ୍କାନାଳ ଏବଂ କଟକ ପାଇଁ ଅରେଞ୍ଜ ଆଲର୍ଟ କରାଯାଇଛି । ନୂଆପଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂପୁର, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ମୟୂରଭଞ୍ଜ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୧୪ତାରିଖ ପାଇଁ ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି ।

ରବିବାର ସୁଦ୍ଧା ଓଡିଶାର ବିଭିନ୍ନ ସ୍ଥାନରେ ରେକର୍ଡ ବର୍ଷା ହୋଇଛି । ପୁରୀରେ ସର୍ବାଧିକ ୧୮୧.୭ ମିଲିମିଟର , ଭୁବନେଶ୍ବରରେ ୧୨୨.୩ ମିଲିମିଟର, ପାରାଦୀପ ୫୩.୬ ମିଲିମିଟର ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ରେଡ୍ ଓ୍ବାର୍ଣ୍ଣିଂ ଅନୁସାରେ ଯଦି ରାତି ତମାମ ଭୁବନେଶ୍ୱରରେ ବର୍ଷା ଜାରି ରହେ ଏବଂ ଆଉ ମାତ୍ର ୪୪ ମିମି ଅଧିକ ବର୍ଷା ହୁଏ, ତାହେଲେ ୧୯୫୮ ମସିହା ସେପ୍ଟେମ୍ବର ମାସର ୨୪ ଘଣ୍ଟାର ବର୍ଷା ରେକର୍ଡ ଭାଙ୍ଗିବ।

ସୂଚନାଯୋଗ୍ୟ, ୧୯୫୮ ମସିହା ସେପ୍ଟେମ୍ବର ୯ ତାରିଖରେ ୧୬୩ ମିମି, ୨୦୧୪ ସେପ୍ଟେମ୍ବର ୧ ତାରିଖରେ ୧୧୬ ମିମି ଓ ୨୦୧୯ ସେପ୍ଟେମ୍ବର ୨୫ ତାରିଖରେ ୧୨୬ ମିମି ବର୍ଷା ରେକର୍ଡ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.