ବିବିସିରେ ବିଦ୍ରୋହ, ସରକାରଙ୍କ ସମାଲୋଚନା ପରେ ଷ୍ଟାର ଆଙ୍କର ନିଲମ୍ୱିତ, କାମ କରିବାକୁ ମନା କଲେ ସାଥୀ କର୍ମଚାରୀ
12/03/2023 at 4:57 PM

ନୂଆଦିଲ୍ଲୀ: ବ୍ରିଟେନରେ ବିବିସିକୁ ବିଦ୍ରୋହର ସାମନା କରିବାକୁ ପଡ଼ିଛି । ବିବିସିର ଷ୍ଟାର ଆଙ୍କର ଗେରୀ ଲିନେକର ସରକାରଙ୍କ ପ୍ରବାସୀ ନୀତିର ସମାଲୋଚନା କରିଥିଲେ । ଏହାପରେ ତାଙ୍କୁ ସସପେଣ୍ଡ କରି ଦିଆଯାଇଛି । ଗେରୀ ଲିନେକରଙ୍କୁ ନିଲମ୍ୱନ କରାଯିବାରେ ଅସନ୍ତୁଷ୍ଟ ବିବିସି କର୍ମଚାରୀ କାମ କରିବା ବନ୍ଦ କରି ଦେଇଛନ୍ତି । ଏହି କାରଣରୁ ବିବିସିକୁ ଶନିବାର ନିଜର ସ୍ପେଶାଲ ପ୍ରୋଗ୍ରାମ ପ୍ରସାରଣ ରଦ୍ଦ କରିବାକୁ ପଡିଥିଲା ।
ଗେରୀ ଲିନେକର ଇଂଲଣ୍ଡ ଫୁଟବଲ ଟିମର ପୂର୍ବତନ ଅଧିନାୟକ ତଥା ବିବିସିର ସବୁଠୁ ଅଧିକ ଦରମା ପାଉଥିବା ଖେଳ ସମ୍ୱାଦିକ । ଗେରୀ ଲିନେକର ମ୍ୟାଚ୍ ଅଫ ଦ ଡେ ନାମକ ଫୁଟବଲ ହାଇଲାଇଟ୍ ପ୍ରସାରଣ କରୁଥିବା କାର୍ଯ୍ୟକ୍ରମ ଆଙ୍କର । ଅଭିଯୋଗ ଅନୁସାରେ ଗେରୀ ଲିନେକର ନିଜର ଟ୍ୱିଟର ଆକାଉଣ୍ଟରେ ବ୍ରିଟିଶ ସରକାରଙ୍କ ନୂଆ ପ୍ରବାସୀ ନୀତିର ବିରୋଧ କରିଥିଲେ । ଏହି କାରଣରୁ ତାଙ୍କୁ ନିଲମ୍ୱିତ କରାଯାଇଛି । ଗେରୀ ଲିନେକରଙ୍କ ସମର୍ଥନରେ ବିବିସିର ଅନ୍ୟ ଆଙ୍କରମାନେ ମଧ୍ୟ କାମ କରିବାକୁ ମନା କରି ଦେଇଛନ୍ତି ।
ବିବିସିର ଏହି ନିଷ୍ପତ୍ତିକୁ ସମାଲୋଚନା କରାଯାଇଛି । ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ବିବିସି ସରକାରଙ୍କ ପାଖରେ ବିକ୍ରି ହୋଇଯାଇଛି । ବିବାଦ ବଢିବା ପରେ ବିବିସିର ନିର୍ଦ୍ଦେଶକ ଟିମ୍ ଡେଭି କହିଛନ୍ତି ଯେ ଏହି ମାମଲାରରେ ତାଙ୍କର ଇସ୍ତଫା ଦେବାର ପ୍ରଶ୍ନ ଉଠୁ ନାହିଁ । ସେ କହିଛନ୍ତି ଯେ ଆମେ ବିବିସିରେ ନିରପେକ୍ଷତାର ସହ କାମ କରୁଛୁ ଏବଂ କୌଣସି ବିଚାରଧାରା କିମ୍ୱା ପାର୍ଟିର ସମର୍ଥନ କରୁ ନାହିଁ ।
ଉଲ୍ଲେଖଯୋଗ୍ୟ ଯେ ବ୍ରିଟେନର ଋଷି ସୁନକ ସରକାର ଉଭୟ ସଦନରେ ପ୍ରବାସୀ ନୀତି ଉପରେ ନୂଆ ବିଲ୍ ଆଗତ କରିବା କଥା କହିଥିଲେ । ଏହା ଅଧିନରେ ବ୍ରିଟିଶ ସରକାର ଇଙ୍ଗଲିସ୍ କେନାଲ ଦ୍ୱାରା ନୌକାରେ ଆସୁଥିବା ଅବୈଧ ଶରଣାର୍ଥୀଙ୍କ ଉପରେ ରୋକ ଲଗାଇବାକୁ ପ୍ରସ୍ତତି କରୁଛନ୍ତି । ଏହାକୁ ନେଇ ସରକାର ବିରୋଧର ସାମନା କରୁଛନ୍ତି ।