ସ୍କୁଲ ଶୌଚାଳୟରେ ଥିବାବେଳେ ଖସିପଡ଼ିଲା ଛାତ; ୩ ଛାତ୍ର ମୃତ, ୩ ଗୁରୁତର

Published By : Prameya-News7 Bureau | December 17, 2021 IST

ତିରୁନୁବେଲ୍ଲୀ ୧୭/୧୨ : ହଠାତ ଖସି ପଡ଼ିଲା ଶୌଚାଳୟ ଛାତ । ୩ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିବା ସହ ତିନିଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ଘଟଣା ତାମିଲନାଡ଼ୁର ତିରୁନେବଲ୍ଲୀ ଜିଲ୍ଲାରେ ଥିବା ଏକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଛାତ୍ରମାନେ ଶୌଚାଳୟରେ ଥିବାବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ସ୍କାଫ୍ଟର ଉଚ୍ଚମାଧ୍ୟମିକ ବିଦ୍ୟାଳରେ ଏଭଳି ଘଟଣା ଘଟିଛି । ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରମାନେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ଛାତ୍ରମାନେ ଶୌଚାଳୟରେ ଥିବା ସମୟରେ ହଠାତ ତାଙ୍କ ଉପରେ ଛାତଟି ଖସି ପଡ଼ିଥିଲା। ଏହାପରେ ସେଠାରେ ସ୍ଥାନୀୟ ପୋଲିସ, ସୁରକ୍ଷାକର୍ମୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଜିଲ୍ଲାପାଳ ମଧ୍ୟ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ଆହତଙ୍କ ଚିକିତ୍ସା ସେବା ତଦାରଖ କରିଛନ୍ତି।

ବିଦ୍ୟାଳୟର ଛାତ୍ରମାନେ ଯେତେବେଳେ ନିଜ ଶ୍ରେଣୀ ଗୃହରେ ଥିଲେ ପୂର୍ବାହ୍ନ ପ୍ରାୟ ୧୧:୧୫ ମିନିଟ ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା ବୋଲି ପୋଲିସ କହିଛି। ମୃତକଙ୍କ ପରିଚୟ ସଞ୍ଜୟ ,ବିଶ୍ୱରଞ୍ଜନ ଓ ଅନ୍ୟ ଜଣେ ଛାତ୍ର ବୋଲିଜଣା ପଡ଼ିଛି। ମୃତ ଛାତ୍ରମାନଙ୍କର ଶବ ବ୍ୟବଚ୍ଛେଦ ପାଇଁ ତିରୁନୁବେଲ୍ଲୀ ସରକାରୀ ମେଡ଼ିକାଲ କଲେଜ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ଆହତ ହୋଇଥିବାମାନଙ୍କର ଚିକିତ୍ସା କରାଯାଉଛି ବୋଲି ଜଣେ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି।

ପ୍ରକାଶଯୋଗ୍ୟ ଯେ ଏହି ବିଦ୍ୟାଳୟଟି ବହୁତ ପୁରୁଣା ହୋଇଥିବାବେଳେ କରୋନା ମହାମାରୀ ସମୟରେ ଏହା ଦୀର୍ଘ ଦେଢ଼ ବର୍ଷ ବନ୍ଦଥିଲା। ପରେ ସରକାର ଅନୁମତି ଦେବାପରେ ବିଦ୍ୟାଳୟ ଖୋଲାଯାଇ ପାଠ ପଢ଼ା ହେଉଥିଲା । ବିଦ୍ୟାଳୟ ପରିଚାଳନା କମିଟି ସହ କଥା ହୋଇ ମାମଲାର ତଦନ୍ତ ପରେ ଦୁର୍ଘଟଣାର କାରଣ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.