୧୯୮୧ ମସିହାର ଚଳଚିତ୍ରର ପୁନଃ ଉଦ୍ଧାର ଲାଗି ଷ୍ଟାର୍ ଫିଲ୍ମର ଉଦ୍ୟମ, ଆଉଥରେ ରେକର୍ଡିଂ ହେଲା 'ବତାସୀ ଝଡ'ର ଗୀତ

Published By : Prameya-News7 Bureau | August 19, 2022 IST

ଭୁବନେଶ୍ୱର ୧୯/୦୮: ୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା ଷ୍ଟାର୍ ଫିଲ୍ମସ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ବତାସୀ ଝଡ଼’ । ଆରତୀ ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରମେଶ ମହାନ୍ତି । ଭାରତୀୟ ଚଳଚ୍ଚିତ୍ରର ପ୍ରଖ୍ୟାତ ସଙ୍ଗୀତକାର ସଲୀଲ୍ ଚୌଧୁରୀ ‘ବତାସୀ ଝଡ଼’ ପାଇଁ ସଙ୍ଗୀତ ସଂରଚନା କରିବା ଥିଲା ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ବିସ୍ମୟକର ସଂଯୋଜନ ।

wp:gallery {"linkTo":"none"} /wp:gallery

ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଅକ୍ଷୟ ମହାନ୍ତି (କାଶ୍ୟପ), କାଶୀ ରଥ, ଜୟା, ଅମର ଚୌଧୁରୀ, ମଧୁମିତା, ପୁଷ୍ପା, ରାଧା ପଣ୍ଡା, ରୁନୁ, ପର୍ଶୁ ସୁନ୍ଦରାୟ, ରବି ନାୟକ, ନାରାୟଣ ଶତପଥୀ, ଅଶୋକ ଚକ୍ରବର୍ତ୍ତୀ, ଅବନୀ ରାୟ, କୃଷ୍ଣା, ବନମାଳୀ ପାଣ୍ଡିଆ, ପୂର୍ଣ୍ଣ ମଳିଆ, ବିନାୟକ ମିଶ୍ର, ବାବୁ ରାଉତ, ନୃସିଂହ ନାୟକ, ବାଙ୍କୁ, ଅନୀଲ୍‌, ଭୋଳା, ଭିକାରୀ, ଗୁଣ, ରାଜୁ, ନନ୍ଦ, ବିଜୟ, ରବି, ପୂର୍ଣ୍ଣର୍, ଚିତ୍ତ, ହାଲିବାବୁ, ବୈକୁଣ୍ଠ, ବଳରାମ, ମଞ୍ଜୁ, ମିନତି, ଯଶୋଧାରା, ଲତା, କୁନି ଓ ମାଷ୍ଟର୍ ବାବ୍‌ଲୁ ।

wp:gallery {"linkTo":"none"} /wp:gallery

କଣ୍ଠଦାନ କରିଥିଲେ ୟେସୁ ଦାସ, ହେମଲତା, ସବିତା ଚୌଧୁରୀ ଓ ମହମ୍ମଦ ସିକନ୍ଦର ଆଲାମ୍ । ଗୀତ ରଚନା କରିଥିଲେ ଅତୁଲ ମହାକୁଡ଼ ଓ ରମେଶ ଜେନା । ଏହି ଚଳଚ୍ଚିତ୍ରଟି ଦୀର୍ଘ ପଚିଶ ବର୍ଷ ହେଲା କୌଣସି ମାଧ୍ୟମରେ ପ୍ରଦର୍ଶିତ ହୋଇନାହିଁ । ଏହାର ପ୍ରିଣ୍ଟ ବିଭିନ୍ନ କାରଣରୁ ନଷ୍ଟ ହୋଇଯାଇଛି ଓ ନେଗେଟିଭ୍ ମଧ୍ୟ ଉପଲବ୍ଧ ନାହିଁ । ତେବେ ଏକମାତ୍ର ସମ୍ବଳ ଏକ ଭିଏଚ୍‌ଏସ୍ କ୍ୟାସେଟ୍‌ରୁ କୌଣସି ପ୍ରକାରେ ପୁନଃ ଉଦ୍ଧାର କରିବାକୁ ଷ୍ଟାର୍ ଫିଲ୍ମସ ଉଦ୍ୟମ କରୁଛି ।

‘ବତାସୀ ଝଡ଼’ ପୁନଃ ଉଦ୍ଧାରର ପ୍ରଥମ ପର୍ଯ୍ୟାୟରେ ଏହାର ସୁମଧୁର ଗୀତକୁ ପୁନଃ ନିର୍ମାଣ ପାଇଁ ଷ୍ଟାର୍ ଫିଲ୍ମସ ପ୍ରୟାସ କରିଥିଲା । ଚଳଚ୍ଚିତ୍ରର ମମତାର ବାଲିଘର, ଏ ଲାଖିଯାଏ ଆଖି, ସଙ୍ଗିନୀ ଆ ରଙ୍ଗିନୀ, ବେଦନ ଭରା ଜୀବନ ମୋର, ଝିମିଝିମି ନିଶା ଭରା ଏ ରାତିକୁ ଷ୍ଟାର୍ ଫିଲ୍ମସ ସମକାଳୀନ ଗାୟକ ଗାୟିକା ବିଭୁକିଶୋର, ପମି, ସତ୍ୟଜିତ୍‌, ଅସୀମା, ଅମୃତା ଓ ବିଷ୍ଣୁମୋହନଙ୍କ କଣ୍ଠରେ ଆଉଥରେ ରେକର୍ଡ କରିଛି ।

ଏହି ଗୀତସବୁର ଲୋକାର୍ପଣ ଉତ୍ସବ ‘ବତାସୀ ଝଡ଼, ସ୍ମୃତି ଉତ୍ସବ’ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ହୋଇଯାଇଛି । ସିନେ ସମୀକ୍ଷକ ତଥା ଚଳିତ ବର୍ଷ ଜାତୀୟ ଚଳଚିତ୍ର ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଶ୍ରୀ ସୂର୍ଯ୍ୟ ଦେଓ ଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ଫଳରେ ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ଆୟୋଜିତ କରାଯାଇଥିଲା ।

wp:gallery {"linkTo":"none"} /wp:gallery

ଏହି ଅବସରରେ ‘ବତାସୀ ଝଡ’ ଚଳଚ୍ଚିତ୍ର ଓ ଗୀତ ପୁନଃ ନିର୍ମାଣ ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁନଃ ଉଦ୍ଧାର ହୋଇଥିବା ଚଳଚ୍ଚିତ୍ରର ଟାଇଟିଲ କାର୍ଡ ପ୍ରଦର୍ଶିତ ହୋଇଥିଲା । ଚଳଚ୍ଚିତ୍ର ବିବରଣୀ ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।

ଏହି ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ଉପବାଚସ୍ପତି ତଥା ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦରାଜ, ଅଭିନେତା ତଥା ପୂର୍ବତନ ସାଂସଦ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ, ସ୍ବେଛାସେବୀ ଶ୍ରୀମତୀ ନମ୍ରତା ଚଢ଼ା, ଶ୍ରୀମତୀ ମୃଣାଳିନୀ ପାଢ଼ୀ, ସିନେ ସମୀକ୍ଷକ ଶ୍ରୀ ସୂର୍ଯ୍ୟ ଦେଓ, ପ୍ରଯୋଜିକା,ଶ୍ରୀମତୀ ଆରତୀ ମହାନ୍ତି, ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ଜ୍ୟୋତି ମିଶ୍ର ପ୍ରମୁଖ ଉପସ୍ଥିତ ରହି 'ବତାସୀ ଝଡ଼ ' ଚଳଚିତ୍ର ସହ ସମ୍ପୃକ୍ତ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରଯୋଜିକାଙ୍କ କନ୍ୟା କାନ୍ତା ମହାନ୍ତି ଓ ଜାମାତା ରାଜେଶ କାନୁନଗୋ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.