ଭଦ୍ରକ ବାସୁଦେବପୁରରେ ଚୀନ୍ ଫେରନ୍ତାଙ୍କୁ ନେଇ କରୋନା ଆତଙ୍କ!
15/02/2020 at 8:54 PM

ଭଦ୍ରକ ୧୫।୦୨ ଚୀନ୍ର ମହାମାରି କରୋନା ଭାଇରସ୍ ଦିନକୁ ଦିନ ବିଶ୍ବ ପାଇଁ ବିପଦ ସାଜିଲାଣି । ଭାରତ ବି ଏହି ବିପଦରୁ ମୁକ୍ତ ନୁହେଁ । କାରଣ ଚୀନ୍ରୁ ଫେରିଥିବା କେରଳ ଓ କୋଲକାତାର କିଛି ବ୍ୟକ୍ତିଙ୍କ ଠାରେ ଏହି ଭାଇରସ୍ ପଜିଟିଭ୍ ବାହାରିଛି । ସେମାନଙ୍କୁ ଅଲଗା ରଖାଯାଇଛି ଚିକିତ୍ସା କରାଯାଉଛି ।

ସେପଟେ ଭଦ୍ରକ ବାସୁଦେବପୁର ଅଞ୍ଚଳର ଜଣେ ବ୍ୟକ୍ତି ଗାଁକୁ ଫେରିଥିବା ବେଳେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତାଙ୍କ ନିକଟରେ ସେପରି କୌଣସି ଲକ୍ଷଣ ଏପର୍ଯ୍ୟନ୍ତ ଦେଖାଯାଇନଥିଲେ ବି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।…..

ଭଦ୍ରକ ବାସୁଦେବପୁର ଗୋପବନ୍ଧୁନଗର ପଞ୍ଚାୟତରେ ଏବେ ଆତଙ୍କ । କାରଣ ଏହି ପଞ୍ଚାୟତର ଜଣେ ବାସିନ୍ଦା ୫ ବର୍ଷ ପରେ ଚୀନ୍ରୁ ଫେରିଛନ୍ତି । ଆଉ ତାଙ୍କ ଦେହରେ କାଳେ କରୋନା ଭାଇରସ୍ ଥିବ ସେହି ଭୟରେ ଗାଁ ଲୋକେ ।

ସଂପୃକ୍ତ ବ୍ୟକ୍ତି ଜଣଙ୍କ ଚୀନ୍ର ହୁଂଜମ୍ରେ ରହି ଯୋଗ ଗୁରୁ ଭାବେ କାର୍ଯ୍ୟକରୁଥିଲେ । ସେ ଜାନୁଆରୀ ୧୭ ରେ ଗାଁକୁ ଫେରିଛନ୍ତି । ତେବେ ପରିବାର ଲୋକଙ୍କ କହିବା କଥା ବ୍ୟକ୍ତି ଜଣଙ୍କ ରହୁଥିବା ଅଞ୍ଚଳରୁ କରୋନା ଭାଇରସ୍ ବ୍ୟାପୀ ଥିବା ଅଞ୍ଚଳର ଦୂରତା ଏକ ହଜାର କିଲୋମିଟରରୁ ଅଧିକ ।

ତଥାପି କାଳେ ତାଙ୍କ ଦେହରେ ଭାଇରସ୍ ପ୍ରଭାବ ଥିବ ସେଥିପାଇଁ ସେ ଭୁବନେଶ୍ବର ଏମସ୍ ଆସିଥିଲେ । ହେଲେ ଏହି ଭାଇରସ୍ ଚିହ୍ନଟ ଓ ପରୀକ୍ଷା ନୀରିକ୍ଷା ପାଇଁ ସେଠାରେ କିଛି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ସେଠାରୁ ଫେରି ସେ ଆଉ ପରୀକ୍ଷା କରିନାହାନ୍ତି । ଘରେ ରହୁଛନ୍ତି । ହେଲେ ବି ଗାଁ ଲୋକଙ୍କ ମନରେ ସନ୍ଦେହ।

ସେପଟେ ଚୀନ୍ରେ ଦିନକୁ ଦିନ କରୋନା ଭାଇରସ୍ର ପ୍ରକୋପ ବଢୁଛି ସିନା କମିବାର ନାଁ ନେଉନି । ଏବେ ସୁଦ୍ଧା ୧୫୨୬ ଜଣଙ୍କର ଏଥିରେ ମୃତ୍ୟୁ ହେଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୬୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ । ତେବେ ଚୀନ୍ କହିଛି ୮ହଜାର ୯୬ ଜଣ ଭଲହୋଇ ଘରକୁ ଫେରିଲେ

ଣି । ସେପଟେ ଜାପାନ ଉପକୂଳରେ ଲାଗିଥିବା କ୍ରୁଜ୍ ସିପ୍ରେ ଆତଙ୍କ ବଢ଼ିବଢ଼ି ଚାଲିଛି । ଯାତ୍ରୀଙ୍କ ମଧ୍ୟରୁ ୩ ଭାରତୀୟଙ୍କ ଦେହରେ କରୋନା ଭାଇରସ୍ ଚିହ୍ନଟ ହୋଇଛି । କ୍ରୁଜ୍ ସିପ୍ରେ ଥିବା ୩ ହଜାର ୭୧୧ ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ମଧ୍ୟରେ ୧୩୮ ଜଣ ଭାରତୀୟ ଅଛନ୍ତି ।

ଏହି କ୍ରୁଜ୍ ସିପ୍ରେ ଏବେସୁଦ୍ଧା ୨୧୮ ଜଣଙ୍କ ଠାରେ ଭାଇରସ୍ ଚିହ୍ନଟ ହୋଇଛି । ଏବେ ସୁଦ୍ଧା ଚୀନ ସମେତ ୨୯ଟି ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି।

କରୋନା ଭାଇରସ୍ ପାଇଁ ଚୀନ୍ ସମେତ ବିଶ୍ବ ଅର୍ଥନୀତିରେ ମଧ୍ୟ ପ୍ରଭାବିତ ହେଲାଣି । ବାର୍ସୋଲୋନାରେ ହେବାକୁ ଥିବା ୱାର୍ଲଡ୍ ମୋବାଇଲ୍ କଂଗ୍ରେସ ସମିଟ୍ ବାତିଲ୍ ହୋଇଯାଇଛି । ସେହିଭଳି ଚୀନ୍ ରୁ ଆସୁଥିବା ଜିନିଷ ପତ୍ର ଉପରେ ଅନେକ ଦେଶ ବ୍ୟାନ୍ ଲଗାଇଛନ୍ତି । ଚୀନ୍କୁ ଏକ୍ସପୋର୍ଟ ଏବଂ ଇମ୍ପୋର୍ଟ ଗୁରୁତର ଭାବେ ପ୍ରଭାବିତ ହୋଇଛି ।