ଛତିଶଗଡ ୧୯/୦୪: ଚାଲିଛି ଗଣତନ୍ତ୍ରର ମହାନ ପର୍ବ । ୨୦୨୪ ଲୋକସଭା ନିର୍ବାଚନର ପ୍ରଥୟ ପର୍ଯ୍ୟାୟ ଭୋଟ । ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳ ସହ ୧୦୨ଟି ଲୋକସଭା ଆସନରେ ଚାଲିଛି ଭୋଟିଂ । ଯେଉଁଥିରେ ନକ୍ସଲ ପ୍ରଭାବିତ ଛତିଶଗଡର ବସ୍ତର ଅନ୍ତର୍ଭୁକ୍ତ । ତେବେ ଏଠାରେ ଏମିତି ଗାଁ ଅଛି, ଯେଉଁଠି ଲୋକ ଆଜି ବି ଅଜ୍ଞ, ଭୋଟ କଣ? ୧୭ଟି ସାଧାରଣ ନିର୍ବାଚନ ପରେ ବି ପହଞ୍ଚି ପାରିନି ଲୋକତନ୍ତ୍ର । ଜୀବନକାଳ ଭିତରେ ଗାଁ ଲୋକେ କେବେ ହେଲେ ଦେଇନାହାଁନ୍ତି ଭୋଟ । ଏତିକି ନୁହେଁ ଭୋଟ କ’ଣ ଓ କାହିଁକି ହେଉଛି ତାହା ବି ଜଣାନାହିଁ ।
ଦାନ୍ତେୱାଡାର ନକ୍ସଲ ପ୍ରଭାବିତ ବସ୍ତର ଅଞ୍ଚଳ । ବସ୍ତରର ଗୁମିୟାପାଲ ପଞ୍ଚାୟତରେ ରହିଛି ଗାଁ ଦାମନ । ରାସ୍ତାଠାରୁ ଜଙ୍ଗଲ ଭିତରେ ୫ କିଲୋମିଟର ଯିବା ପରେ ପଡେ ଗାଁ ଦାମନ । ସରକାରୀ ଦସ୍ତାବିଜରେ ଗାଁର ନାହିଁ କୌଣସି ଅସ୍ତିତ୍ୱ । ଲୋକଙ୍କର କୌଣସି ପରିଚୟ ବି ନାହିଁ । କାରଣ ଏଠାରେ ରହୁଥିବା ଲୋକଙ୍କ ମଧ୍ୟରୁ ନାଁ ଅଛି କାହାରି ଆଧାର କାର୍ଡ, ଭୋଟର କାର୍ଡ କିମ୍ବା ରାସନ କାର୍ଡ । ଗାଁର ୨୫ଟି ପରିବାର ମତଦାନରୁ ବଞ୍ଚିତ । ଗାଁର ସବୁଠାରୁ ବୟସ୍କ ବ୍ୟକ୍ତି ବି ଜୀବନ କାଳ ଭିତରେ ଦେଇନାହାଁନ୍ତି ଭୋଟ । ଭୋଟ ତ ଦୂରର କଥା ଗାଁ ଲୋକଙ୍କ ଅଙ୍ଗୁଳିରେ କେବେହେଲେ ବାଜିନି କାଳି । ଭୋଟ କ’ଣ ଏବଂ କାହିଁକି ହେଉଛି ସେକଥା ଜଣାନାହିଁ ।
ଗୋଣ୍ଡ ଭାଷାରେ କଥା ହୁଅନ୍ତି ଏଠିକାର ଗାଁ ଲୋକେ । କୌଣସି ନେତାଙ୍କୁ ଜାଣନ୍ତି ନାହିଁ ଏମାନେ । କେବଳ ସରପଞ୍ଚଙ୍କୁ ଜାଣନ୍ତି ଲୋକେ । ଆଉ ଏହି ସରପଞ୍ଚ ବି କାଁ ଭାଁ ଆସନ୍ତି ଗାଁକୁ । ଆଉ ଗୋଟିଏ ବିଶେଶତ୍ୱ, ଗାଁକୁ ଆଜି ଯାଏଁ ଆସିନାହାଁନ୍ତି କୌଣସି ବାହାର ବ୍ୟକ୍ତି । ଫଳରେ ଗାଁ ଲୋକଙ୍କୁ ସଚେତନ କରିବାକୁ ନା ଆସନ୍ତି କେହି, ନାଁ ଆଜିଯାଏଁ ପ୍ରସ୍ତୁତି ହୋଇଛି ତାଙ୍କର ଭୋଟର କାର୍ଡ । ଭୋଟ କେବେ ହେଉଛି ସେକଥା ଗାଁ ଲୋକ ଜାଣିନାହାନ୍ତି । କାରଣ ସେମାନେ କେବେ ବି ଦେଇନାହାନ୍ତି ଭୋଟ ।
ଭୋଟର କାର୍ଡ ପ୍ରସ୍ତୁତ କରିବାର କାମ ଜିଲ୍ଲା ପ୍ରଶାସନର । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀଙ୍କ ପାଦ ପଡିନାହିଁ ଏହି ଗାଁରେ । ଏମିତିକି ଜିଲ୍ଲାପାଳ ବି ଏ ବିଷୟରେ ଅଜ୍ଞ ଥିଲେ । ପଚରାଯିବାରୁ ସେ କହିଥିଲେ କି, କୌଣସି ଗାଁର ଲୋକମାନେ ବିନା ଭୋଟର କାର୍ଡରେ ରହିବାକଥା ନୁହେଁ । ତେବେ ଦାମନ ଗାଁ କ୍ଷେତ୍ରରେ କାହିଁକି ଏସବୁ ଘଟିଛି ତାହା ଉପରେ ବିସ୍ତୃତ ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।