ଅଭିନେତ୍ରୀ ବର୍ଷାଙ୍କୁ ଅଦାଲତି ଝଟକା, ନଭେମ୍ୱର ୨ ସୁଦ୍ଧା ଘର ଚାବି ହସ୍ତାନ୍ତର ଲାଗି ନିର୍ଦ୍ଦେଶ

Published By : Prameya-News7 Bureau | October 28, 2022 IST

କଟକ ୨୮/୧୦: ଷ୍ଟାର ଦମ୍ପତ୍ତି ବର୍ଷା ଅନୁଭବଙ୍କ ପାରିବାରିକ ବିବାଦରେ ଏକ ନୂଆ ମୋଡ଼ ଆସିଛି । ବର୍ଷାଙ୍କୁ ଅଦାଲତି ଝଟକା ଲାଗିବା ସହ ଅନୁଭବ ନିଜ ପୈତୃକ ଘରକୁ ଫେରିବାର ବାଟ ଫିଟିଛି । ଆସନ୍ତା ଦୁଇ ତାରିଖ ସୁଦ୍ଧା ଅନୁଭବଙ୍କୁ ଶାଶୂଘର ଚାବି ହସ୍ତାନ୍ତର କରିବାଲାଗି ବର୍ଷାଙ୍କୁ ନିର୍ଦେଶ ଦେଇଛନ୍ତି ଏସ ଡି ଜେ ଏମ ଅଦାଲତ । ତେବେ ଯଦି ଅନୁଭବ ଘର ଚାବି ଗ୍ରହଣ ନକରନ୍ତି, ତାହାଲେ କୋର୍ଟରେ ଚାବି ଦାଖଲ କରିବାକୁ ମଧ୍ୟ ନିର୍ଦେଶ ହୋଇଛି ।

ଅପରପକ୍ଷେ ବର୍ଷାଙ୍କ ପକ୍ଷରୁ ଦାୟର ହୋଉଥିବା ଦୁଇଟି ପିଟିସନକୁ ଖାରଜ କରିଦେଇଛନ୍ତି କୋର୍ଟ । ସାମଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଥିବାର ଅଭିଯୋଗ କରି ବର୍ଷା ଯେଉଁ ଆବେଦନ କରିଥିଲେ ତାକୁ କୋର୍ଟ ଖାରଜ କରିଛନ୍ତି । ଯେହେତୁ ଏ ସଂକ୍ରାନ୍ତୀୟ ଏକ ମାମଲା ହାଇକୋର୍ଟରେ ବିଚରାଧୀନ ରହିଛି, ତେଣୁ ଏଭଳି ଅନ୍ୟ ଏକ ପିଟିସନ ଗ୍ରହଣୀୟ ହେବ ନାହିଁ ବୋଲି ଏସ ଡି ଜେ ଏମ ଅଦାଲତ କହିଛନ୍ତି ।

ଅନ୍ୟ ଏକ ପିଟିସନ ଜରିଆରେ ବର୍ଷା ଦର୍ଶାଇ ଥିଲେ କି, ତାଙ୍କ ମୂଳ ଆବେଦନରେ କିଛି ସଂଶୋଧନ କରିବାକୁ ଅନୁମତି ଦିଆଯାଉ । କିନ୍ତୁ ଅଦାଲତି ପ୍ରକ୍ରିୟାରେ ବିଳମ୍ବ ହେବାର ସମ୍ଭାବନା ଥିବାରୁ କୋର୍ଟ ବର୍ଷାଙ୍କ ଉକ୍ତ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.