ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଓ ବନ୍ୟା ବିତ୍ପାତ, ଏବେସୁଦ୍ଧା ୫୦ ମୃତ

Published By : Prameya-News7 Bureau | August 22, 2022 IST

ନୂଆଦିଲ୍ଲୀ, ୨୨|୦୮: ଦେଶର କେତେକ ରାଜ୍ୟରେ ମୂଷଳଧାର ବର୍ଷା ହୋଇଛି ଫଳରେ ବିଭିନ୍ନ ରାଜ୍ୟରେ ଭୂସ୍ଖଳନ ସହିତ ବନ୍ୟା ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିସହିତ ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ଏହି ବର୍ଷା ଓ ବନ୍ୟା ଯୋଗୁ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଝାଡଖଣ୍ଡ, ଜମ୍ମୁ-କାଶ୍ମୀର ଓ ଓଡ଼ିଶା ସର୍ବାଧିକ ପ୍ରଭାବିତ ହୋଇଛି ।

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଚାନକ ବନ୍ୟା ଓ ଭୂସ୍ଖଳନ ଘଟିବାରୁ ଅନେକ ଗାଁ ନିଶ୍ଚିହ୍ନ ହୋଇଯାଇଛି । ରାଜ୍ୟର ମଣ୍ଡି, ଚମ୍ବା, କାଙ୍ଗଡା ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ୧୨ ଜଣ ଆହତ ହୋଇଥିଲା ବେଳେ ଆହୁରି ୧୦ ଜଣ ନିଖୋଜ ଅଛନ୍ତି । ଅନେକ ରାସ୍ତାଘାଟ ଓ ବ୍ରିଜ୍‌ କ୍ଷତିଗ୍ରସ୍ତ ହୋଇଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ ସୁଦେଶ କୁମାର ମୋଖତାଙ୍କ ସୂଚନା ଅନୁସାରେ ବାଦଲ ଫଟା ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ୩୬ଟି ଭୂସ୍ଖଳନ ଓ ଅଚାନକ ବନ୍ୟା ପରିସ୍ଥିତି ଉପୁଜିଛି । ୩୨୨ଟି ସ୍ଥାନରେ ରାସ୍ତା ନଷ୍ଟ ହୋଇଥିଲା ବେଳେ ୮୩୨ଟି ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ୮୬ଟି ଅଞ୍ଚଳକୁ ପାନୀୟ ଜଳ ଯୋଗାଇବା ସମ୍ଭବ ହୋଇପାରିନାହିଁ । ପ୍ରବଳ ବର୍ଷା ଯୋଗୁ ପଙ୍ଗ ଡ୍ୟାମର ଗେଟ୍‌ ଖୋଲିବାକୁ ଯାଉଛି । ସେଥିପାଇଁ ପଞ୍ଜାବର ୬ଟି ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ ଟିମ୍‌ ସହିତ ଏସ୍‌ଡିଆରଏଫ ଟିମ୍‌ ଓ ରାଜ୍ୟ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିୟୋଜିତ ଅଛନ୍ତି ।

ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ମୂଷଳଧାର ବର୍ଷା ହୋଇଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଚାନକ ବନ୍ୟା ଓ ଭୂସ୍ଖଳନ ଘଟିଛି । ପୌଡି, ତେହରି ଓ ଡେରାଡୁନ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି । ସଙ୍ଗ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଡେରାଡୁନର ମାଲଦେବତା ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ଡେରାଡୁନ ସହ ଜୋଲିଗ୍ରାଣ୍ଟ ବିମାନବନ୍ଦରକୁ ସଂଯୋଗ କରୁଥିବା ଫ୍ଲାଏଓଭର ପ୍ରବଳ ସ୍ରୋତରେ ଭାସିଯାଇଛି ।

ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି । ସାର୍‌ଖେତ ଗ୍ରାମରେ ବାଦଲଫଟା ବର୍ଷା ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ୧୦ ଜଣ ନିଖୋଜ ଥିବା ଜଣାପଡିଛି । ମଣ୍ଡି ଓ କୁଲୁ ଜିଲ୍ଲାରେ ସବୁ ସ୍କୁଲକୁ ବନ୍ଦ ରଖାଯାଇଛି । ଡେରାଡୁନରେ ଗତକାଲି ବାଦଲଫଟା ବର୍ଷା ହେବା ଯୋଗୁ ଅନେକ ସହରତଳି ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ ଓ ଏସ୍‌ଡିଆରଏଫ ଟିମ୍‌ ନିୟୋଜିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । କ୍ଷତିଗ୍ରସ୍ତ ରାସ୍ତା ଓ ପୋଲ ତୁରନ୍ତ ମରାମତି କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତରପ୍ରଦେଶର ପ୍ରୟାଗରାଜ ଓ ବାରାଣସୀ ଭଳି ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଗଙ୍ଗା ଓ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତେବେ ଏହା ବିପଦ ସଙ୍କେତର ସାମାନ୍ୟ ତଳେ ରହିଛି । ଉଭୟ ଜିଲ୍ଲାର ନଦୀ ତଟବର୍ତ୍ତୀ ଅଞ୍ଚଳରେ ବନ୍ୟାଜଳ ମାଡିଯାଇଛି । ଜନବସତି ଅଞ୍ଚଳରେ ନଦୀଜଳ ପ୍ରବେଶ କରିଛି । ସେହିଭଳି ବରୁଣ ନଦୀ ମଧ୍ୟ ଫୁଲିଛି । ବାରାଣସୀର ବିଭିନ୍ନ ଶବଦାହ ଘାଟ ବନ୍ୟାଜଳରେ ବୁଡିରହିଛି । ଲୋକମାନଙ୍କୁ ବିକଳ୍ପ ସ୍ଥାନରେ ଶବଦାହ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରୟାଗରାଜରେ ବନ୍ୟାଯୋଗୁ ସ୍କୁଲଗୁଡିକୁ ବନ୍ଦ କରିଦିଆଯାଇଛି । ଡାଏରୀ ଫାର୍ମ ମଧ୍ୟ ଗଭୀର ପ୍ରଭାବିତ ହୋଇଛି । ଯମୁନା ନଦୀର ଜଳ ମଧ୍ୟ ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଲ୍ଲୀର ତଳିଆ ଅଞ୍ଚଳରେ ମାଡିଯାଇଛି । ଫଳରେ ସେଠାରେ ବସବାସ କରୁଥିବା ପ୍ରାୟ ୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ସେହିଭଳି ଜମ୍ମୁ-କାଶ୍ମୀରର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ରାଜୌରି ଜିଲ୍ଲାରେ ମୂଷଳଧାର ବର୍ଷା ଯୋଗୁ ପୀରପଞ୍ଜାଲ ପାର୍ବତ୍ୟାଞ୍ଚଳରେ ପ୍ରବାହିତ ଦରହାଲି ନଦୀ ବିପଦ ସଙ୍କେତ ଉପରେ ରହିଛି । ରିଆସି ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଗତକାଲି ବୈଷ୍ଣୋଦେବୀ ଦର୍ଶନକୁ ବନ୍ଦ ରଖାଯାଇଥିଲା । ତେବେ ଆଜି ବର୍ଷା କମିବା ପରେ ପୁଣିଥରେ ଯାତ୍ରା ଆରମ୍ଭ ହୋଇଛି । ଝାଡଖଣ୍ଡର ରାମଗଡ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଅଚାନକ ବନ୍ୟା ଆସିଛି । ନଳକାରୀ ନଦୀରେ ଅଚାନକ ବନ୍ୟା ଆସିବା ଫଳରେ ୫ ଜଣ ଭାସିଯାଇଛନ୍ତି । ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସେହିଭଳି ପଶ୍ଚିମ ସିଂହଭୂମ ଜିଲ୍ଲାରେ କାନ୍ଥପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ମଧ୍ୟ ବର୍ଷା ଓ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି । ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁ ଝାଡଖଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଫଳରେ ଝାଡଖଣ୍ଡର ଗଲୁଡିହ ବ୍ୟାରେଜରୁ ପାଣି ଛଡାଯିବା ଯୋଗୁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀରେ ବନ୍ୟା ଆସିଛି । ପୂର୍ବରୁ ମହାନଦୀରେ ବନ୍ୟା ଯୋଗୁ ବହୁ ଲୋକ ପ୍ରଭାବିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.