ହଷ୍ଟେଲ୍ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଡାକ୍ତରଙ୍କୁ ତାଲା ପକାଇଲେ ଲୋକେ
13/12/2022 at 8:57 AM

ବାରିପଦା ୧୩।୧୨ : ହଷ୍ଟେଲ ଛାତ୍ରୀଙ୍କୁ ପିଆରଏମ୍ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ। ଡାକ୍ତରଙ୍କୁ ତାଲା ପକାଇବା ସହ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ପିଆରଏମ୍ ମେଡିକାଲର ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ଜଣେ ନାବାଳିକାକୁ ଚିକିତ୍ସା ସମୟରେ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି।
ଖବର ଅନୁଯାୟୀ, ଆଦିବାସୀ ହଷ୍ଟେଲର ଜଣେ ନାବାଳିକା ଛାତ୍ରୀଙ୍କ ପେଟ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁ ବିଭାଗରେ କାର୍ଯ୍ୟରତ ଥିବା ଡାକ୍ତର ସୌରଭ ଉପାଧ୍ୟାୟ ଉକ୍ତ ନାବାଳିକାଙ୍କ ସ୍ଵାସ୍ଥ୍ୟ ଯାଞ୍ଚ୍ ଆଳରେ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ କହିଥିଲେ। ଏହାକୁ ନେଇ ଛାତ୍ରୀଙ୍କ ପରିବାର ଲୋକ ଓ ହଷ୍ଟେଲ କର୍ତ୍ତୃପକ୍ଷ ଡାକ୍ତରଙ୍କୁ ତାଙ୍କ ଚାମ୍ବରରେ ଅଟକ ରଖିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତର ଜଣକ ମଦ୍ୟପାନ କରି ହସ୍ପିଟାଲ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ଉତ୍ତେଜନା ପ୍ରକାଶ ପାଇବା ପରେ ମେଡିକାଲରେ ଟାଉନ ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଥିଲା। ଅନ୍ୟପଟେ କାର୍ଯ୍ୟରତ ଡାକ୍ତର ସୌରଭ ଉପାଧ୍ୟାୟ ଏଘଟଣାକୁ ଖଣ୍ଡନ କରିଛନ୍ତି। ସେ ନାବାଳିକାଙ୍କ ପ୍ରତି କୌଣସି ପ୍ରକାର ଅସଦାଚରଣ କରି ନାହାଁନ୍ତି। କେବଳ ଚିକିତ୍ସା ପାଇଁ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ୍ କରୁଥିଲେ ବୋଲି କହିଛନ୍ତି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।