ପଞ୍ଜାବ ପରେ ବରଗଡ଼ ଜିଲ୍ଲା ଏବେ ପାଲଟିଛି ଭାରତର ଦ୍ୱିତୀୟ କ୍ୟାନ୍ସର ହବ୍

Published By : Prameya-News7 Bureau | February 04, 2024 IST

ବରଗଡ଼ 04/02 : ଆଜି ହେଉଛି ବିଶ୍ଵ କର୍କଟ ଦିବସ।  ଆଜିର ଦିନରେ ସାରା ବିଶ୍ଵ କର୍କଟ ରୋଗକୁ ପରାହତ କରିବା ପାଇଁ ଲଢେଇ ଜାରି ରଖିଛି। ଏହି ସମୟରେ ଲୋକେ କିପରି ଏହି ମାରାତ୍ମକ ରୋଗରୁ ଦୂରେଇ ରହିବେ ସେନେଇ କରାଯାଉଛି ସଚେତନ। ତେବେ ସାରା ପଶ୍ଚିମଓଡ଼ିଶାରେ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏମିତିରେ ବରଗଡ଼ ଜିଲ୍ଲା ଏବେ ଭାରତରେ ପାଲଟିଛି କ୍ୟାନ୍ସର ହବ୍ । ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ କ୍ୟାନସର ରୋଗୀ ଏଠାରେ ଚିହ୍ନଟ ହେଉଛନ୍ତି।  ସାରା ଭାରତରେ ପଞ୍ଜାବ ପରେ ଦ୍ବିତୀୟ ଆକ୍ରାନ୍ତ ଅଞ୍ଚଳ ଭାବେ ବରଗଡ଼କୁ ଚିହ୍ନଟ କରାଯାଇଛି । ବିଶେଷ ଭାବେ ଫସଲରେ ଅତ୍ୟଧିକ ସାର ଓ କୀଟନାସକର ପ୍ରୟୋଗ ଏହାର ମୁଖ୍ୟ କାରଣ କୁହାଯାଉ ଥିଲେ ମଧ୍ୟ ଲୋକଙ୍କ ସଚେତନତାର ଅଭାବ ଯୋଗୁଁ  କର୍କଟ ରୋଗୀ ମୃତ୍ୟୁ ବରଣ କରୁଥିବା କୁହାଯାଉଛି । ତେବେ ବରଗଡର ବିଭିନ୍ନ ସ୍ବଚ୍ଛାସେବୀ ସଂଗଠନ ସଭା ଓ ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି। ମାତ୍ର ସରକାରୀ ସ୍ତରରେ ଗୁଟଖା, ସିଗାରେଟ ପରି ମାଦକ ଦ୍ରବ୍ୟର ପ୍ରଚାର ଯୋଗୁଁ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ବରଗଡର ବୁଦ୍ଧିଜୀବୀ ।

{"id":904830,"sizeSlug":"full","linkDestination":"none"}

ଅନ୍ୟ ପକ୍ଷରେ କ୍ୟାନସର ଆକ୍ରାନ୍ତଙ୍କ ଦ୍ବାରା ଗଠିତ ଫାଇଟର୍ସ ଗ୍ରୁପ ଠାରୁ ୟୁନାଇଟେଡ ଫୋରମ ଫର କ୍ୟାନସର ହସ୍ପିପିଟାଲ ପରି ଜିଲ୍ଳା ତଥା ଜିଲ୍ଳା ବାହାରର ବହୁ ସଂଗଠନ ବରଗଡ଼ରେ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଦାବି କରିଥିଲେ । ବାରମ୍ବାର ଦାବି ପରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ମସିହାରେ ସୋହେଲା ଠାରେ ଆୟୋଜିତ ଏକ ସଭାରେ ବରଗଡ଼ ଜିଲ୍ଳାରେ କ୍ୟାନସର ହସ୍ପିଟାଲ ନିର୍ମାଣ ନେଇ ଘୋଷଣା କରିଥିଲେ।  ପଶ୍ଚିମ ଓଡ଼ିଶାର କ୍ୟାନସର ପୀଡ଼ିତଙ୍କ ଦୁଃଖ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି ।  ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୧୨୦ କୋଟି ବ୍ୟୟ ଅଟକଳରେ ୫ ମହଲା ବିଶିଷ୍ଟ ଏହି କ୍ୟାନସର ହସପିଟାଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଖୁବ ଅଳ୍ପ ଦିନ ମଧ୍ୟରେ ଏହାର ଉଦଘାଟନ ହେବ ବୋଲି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଏହି କ୍ୟାନସର ହସପିଟାଲ ୧୦୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଇନଡୋର ୱାଡ଼ ପାଇଁ ୪୦ ଶଯ୍ୟା, ଡେ- କେୟାର କେମୋଥେରାପି ପାଇଁ ୨୦ ଶଯ୍ୟା , ଆଇସିୟୁ ପାଇଁ ୬ ଶଯ୍ୟା, ହାଇ ଡିପେନଡେସି ଇଉନିଟ୍ ପାଇଁ ୬ ଶଯ୍ୟା, ପ୍ରି -ସର୍ଜରୀ ୬ ଶଯ୍ୟା, ପୋଷ୍ଟ୍ ସର୍ଜରୀ ୬ ଶଯ୍ୟା, ଆଇସୋଲେସନ୍ ଶଯ୍ୟା ୪ ଓ ୧୨ ଟି କ୍ୟାବିନ୍ ବ୍ୟବସ୍ଥା ରହିଥିବା ଜଣାପଡିଛି।

ତେବେ ବରଗଡ଼ ଜିଲ୍ଲାର ଏହି ହସ୍ପିଟାଲ କ୍ୟାନ୍ସର ରୋଗୀଙ୍କ ପାଇଁ କେତେ ଲାଭଦାୟୀ ହେବ ଓ ରୋଗୀଙ୍କୁ କିପରି ଚିକିତ୍ସା ସେବା ପ୍ରଦାନ କରିବ ତାହା ଦେଖିବା ବାକି ରହିଲା ।

Also Read- ଯୁବକଙ୍କ ଅଜବ କାରାନାମା, ଆତ୍ମହତ୍ୟା କରିବାକୁ ପୋଲିସକୁ ଫୋନ୍ ଯୋଗେ ଧମକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.