କାଲିଠୁ ଧନୁଯାତ୍ରା: କମ୍ବିବ ବରଗଡ଼, ଶୁଭିବ କଂସଙ୍କ ଅଟ୍ଟହାସ୍ୟ

Published By : Prameya-News7 Bureau | December 26, 2022 IST

ବରଗଡ: ରାତି ପାହିଲେ ବରଗଡ଼ରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା, ଏଥିପାଇଁ ଚୂଡାନ୍ତ ହୋଇଛି ପ୍ରସ୍ତୁତି । ମହାରାଜ କଂସଙ୍କ ରାଜ ଦରବାର,ରଙ୍ଗ ମହଲର ନିର୍ମାଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଁଚିଥିବା ବେଳେ କଳାକାର ଙ୍କ ଠାରୁ ଆରମ୍ଭ କରି  ବିଭିନ୍ନ ସାଂସ୍କୃତିକ ଦଳ ଏବେ ଧନୁଯାତ୍ରା ଅପେକ୍ଷାରେ ରହିଛନ୍ତି।

କାଲିଠୁ କମ୍ବିବ ବରଗଡ଼। ଶୁଭିବ କଂସଙ୍କ ଅଟ୍ଟହାସ। ଆଉ ଚାଲିବ କଂସର ରାଜୁତି। ଆରମ୍ଭ ହେବ ଧନୁଯାତ୍ରା।  ମଥୁରା ସାଜିବ ବରଗଡ । ଗୋପପୁର ସାଜିବ ଅମ୍ବାପାଲି। ସଜେଇ ହୋଇଛି ମଥୁରା ଓ ଗୋପପୁର। ନାନା ପ୍ରକାରର ମୁରୁଜରେ ରାସ୍ତା ସଜେଇ ହୋଇଥିବା ବେଳେ ଅମ୍ବାପାଲିରେ ଲୋକଙ୍କ ଘର କାନ୍ଥରେ ଦ୍ବାପର ଯୁଗର କୃଷ୍ଣ, ବଳରାମ, ଗୋପୀ, ଗୋପାଳ, ନନ୍ଦ, ଯଶୋଦା, କଦମ୍ବବନ ଚିତ୍ରସବୁ ସଜ୍ଜିତ ହୋଇଛି। କାଲିଠାରୁ ୧୧ ଦିନ ଧରି ଚାଲିବ ଯାତ୍ରା, ଚାଲିବ କଂସଙ୍କ ରାଜୁତି ।

କାରିଗରମାନେ ନିର୍ମାଣକାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି।  ୪୨ ଫୁଟ ଉଚ୍ଚତା ୧୨୦  ଫୁଟ ଲମ୍ବ ୩୫  ଫୁଟ ଚଉଡା ଏହି ଦରବାରକୁ ପୁରାଣ ବର୍ଣ୍ଣିତ କଂସଙ୍କ ରାଜା ଦରବାରର ରୂପ ଦିଆଯାଇଛି । ଏଥିପାଇଁ କୋଲକାତାର ୩୦ ଜଣ କାରିଗର ଦୀର୍ଘ ୧୫ ଦିନ ହେବ କାମରେ ଲାଗିଛନ୍ତି । ଯେପରି ଧନୁଯାତ୍ରାର ହୀରକ ଜୟନ୍ତୀରେ ଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯାଇ ପାରିବ ଏବଂ ରାଜ ଦରବାରକୁ ରାଜସ୍ଥାନର ରାଜ ମହଲ ରୂପ ଦିଆଯାଇ ପାରିବ ସେନେଇ କମିଟି ଗୁରୁତ୍ୱ ଦେଇଛି ।

ସେହିପରି ସ୍ଥାନୀୟ ଲୋକମଣ୍ଡପ ପଡିଆ ଠାରେ ରଙ୍ଗମହଲ ନିର୍ମାଣ କରାଯାଉଥିବା ବେଳେ ବିଭିନ୍ନ ଛକ ଓ ପ୍ରବେଶ ପଥରେ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଛି,ତାସହିତ ସାରା ସହରକୁ ରଙ୍ଗୀନ ଆଲୁଅରେ ରେ ସଜ୍ଜିତ କରାଯାଇଛି । କଳାକାର ମାନେ ମଧ୍ୟ ଏବେ ପ୍ରସ୍ତୁତ ରହିଥିବା ବେଳେ ଏଥର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ୧୫୪ ଟି ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ। ଏଥିରେ ଗୋଟିଏ ଅନ୍ତର୍ଜାତୀୟ ଦଳ ଏବଂ ୧୬ଟି ଜାତୀୟ ଦଳ ସାମିଲ ହେବେ ।

ଧନୁଯାତ୍ରାକୁ ନେଇ ସମସ୍ତେ ଉତ୍ସାହିତ। ସହରକୁ ବାହାର ରାଜ୍ୟରୁ ବ୍ୟବସାୟୀମାନେ ଆସିବା ଆରମ୍ଭ କଲେଣି ୨ ବର୍ଷ ଯାତ୍ରା ବନ୍ଦ ଥିବାରୁ ଏଥର ଯାତ୍ରା ଖୁବ ଜମିବ ବୋଲି ଆଶା କରାଯାଉଛି। । ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.