ଥାନାରେ ରାଧା ମାଧବ, ପଟୁଆରାରେ ଆସି ଖାଇଲେ ଭୋଗ
7/03/2023 at 10:43 AM

ବାରଙ୍ଗ ୦୭।୦୩ : ଦିନକ ପରେ ରଙ୍ଗର ପର୍ବ ହୋଲି। ଗାଁରୁ ସହର ସବୁଠି ପରିବେଶ ଚଳଚଞ୍ଚଳ। ଘର ଘର ବୁଲି ଠାକୁର ଖାଉଛନ୍ତି ଭୋଗ। ଏହାରି ଭିତରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନରେ ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଦେଖି ଆପଣ ବି କିଛି ସମୟ ଅଟକି ରହିବେ।
ଖବର ଅନୁଯାୟୀ, ସୋମବାର ଚତୁର୍ଦ୍ଦଶୀ ଲାଗି ବିଭିନ୍ନ ଜାଗା ବୁଲିବା ପରେ ଥାନା ଦୁଆରକୁ ଆସି ଠାକୁର ଭୋଗ ଖାଇଥିଲେ। ଘଣ୍ଟ ମାଡ଼ ସହ ପଟୁଆର ଏବଂ ହରିବୋଲ୍ ଧ୍ୱନୀରେ ପ୍ରକମ୍ପିତ ହେଲା ଚନ୍ଦ୍ରଶେଖରପୁର ଥାନା ପରିସର। ପୂଜାର୍ଚ୍ଚନା ପରେ ସମସ୍ତେ ନେଲେ ଆଶୀର୍ବାଦ । ଆଉ ସୃଷ୍ଟି ହୋଇଥିଲା ଏକ ଭକ୍ତିମୟ ପରିବେଶ।
ତେବେ ପୂର୍ବରୁ ଜଣେ ମହିଳା ଏଏସ୍ଆଇ ଏବଂ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଥାନା ଦୁଆରେ ମୁରୁଜ ପକାଉଥିବା ବେଳେ ଅବଶିଷ୍ଟ ଥାନା କର୍ମଚାରୀ ଉତ୍କଣ୍ଠାର ସହ ଦେଖୁଛନ୍ତି। ଆଉ କାରଣ ପଚାରିବାରୁ ପୁଲିସ୍ ଅଫିସର୍ ଜଣକ କହିଲେ ଯେ ଯେହେତୁ ଦୋଳପୂର୍ଣ୍ଣିମା ଚାଲିଛି ଠାକୁର ଭୋଗ ଖାଉଛନ୍ତି ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଥାନାକୁ ଆସିଥିଲେ ଠାକୁର। ତେଣୁ ଆମେ ମୁରୁଜ ପକେଇ ଠାକୁରଙ୍କୁ ଡାକୁଚୁ ବୋଲି କହିଛନ୍ତି ମହିଳା ପୁଲିସ କର୍ମୀ।