ଏଥର ଧୁମଧାମରେ ହେବ ବରଗଡ଼ ଧନୁଯାତ୍ରା, ଡିସେମ୍ବର ୨୭ରୁ ଜାନୁଆରୀ ୬ ଯାଏ ଚାଲିବ କଂସର ରାଜୁତି
25/08/2022 at 8:18 AM

ବରଗଡ଼ ୨୫।୦୮: ଏଥର ଧୁମଧାମରେ ପାଳନ ହେବ ବରଗଡ଼ ଧନୁଯାତ୍ରା। ୨ବର୍ଷ ହେଲା କୋଭିଡ କଟକଣା ଯୋଗୁ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବନ୍ଦ ରହିଥିଲା। ଚଳିତ ବର୍ଷ ଧନୁଯାତ୍ରା ଡିସେମ୍ବର ୨୭ ରୁ ୨୦୨୩ ଜାନୁୟାରୀ ୬ ଯାଏଁ ପାଳନ ହେବ। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ।
ତେବେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ,ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଧନୁଯାତ୍ରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା। ଏଥର ସ୍ଥାନୀୟ ଗାନ୍ଧୀ ଛକ ଠାରେ ଏକ ପୂର୍ଣ୍ଣାଙ୍ଗ ତୋରଣ ନିର୍ମାଣ କରାଯିବ। ସେହିପରି ନୂଆ କଳାକାର ଚୟନ କରାଯିବ ଏବଂ ଅମ୍ବାପାଲିର ଭିତ୍ତିଭୂମି ବିକାଶ ଓ ନୂଆ କମିଟି ଗଠନ ଉପରେ ଆଲୋଚନା କରାଯାଇଛି।