ମଙ୍ଗଳବାରଠୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ଚାଲିବ କଂସଙ୍କ ରାଜୁତି

Published By : Prameya-News7 Bureau | December 27, 2022 IST

ବରଗଡ଼ ୨୭।୧୨ :  ଆଜିଠୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । କମ୍ପିବ ବରଗଡ଼। ଚାଲିବ କଂସଙ୍କ ରାଜୁତି। ମଥୁରା ସାଜିବ ବରଗଡ଼। ଗୋପପୁର ସାଜିବ ଅମ୍ବାପାଲି। ୧୧ ଦିନ ଧରି ଚାଲିବ ଧନୁଯାତ୍ରା । ଏଥିପାଇଁ ସଜେଇ ହୋଇଛି ମଥୁରା ଓ ଗୋପପୁର। ରାସ୍ତାରେ ରଙ୍ଗବେରଙ୍ଗ ପ୍ରକାରର ଝୋଟି ପଡିଥିବା ବେଳେ ବେଳେ ଅମ୍ବାପାଲିରେ ଲୋକଙ୍କ ଘର କାନ୍ଥରେ ଦ୍ବାପର ଯୁଗର କୃଷ୍ଣ, ବଳରାମ, ଗୋପୀ, ଗୋପାଳ, ନନ୍ଦ, ଯଶୋଦା, କଦମ୍ବବନ ଚିତ୍ରସବୁ ସଜ୍ଜିତ ହୋଇଛି।

ଅନ୍ୟପଟେ ମହାରାଜ କଂସଙ୍କ ରାଜ ଦରବାର, ରଙ୍ଗ ମହଲ ନିର୍ମାଣ ହୋଇଛି । ୪୨ ଫୁଟ ଉଚ୍ଚତା ୧୨୦ ଫୁଟ ଲମ୍ବ ୩୫ ଫୁଟ ଚଉଡା ଏହି ଦରବାରକୁ ପୁରାଣ ବର୍ଣ୍ଣିତ କଂସଙ୍କ ରାଜା ଦରବାରର ରୂପ ଦିଆଯାଇଛି । ଯେପରି ଧନୁଯାତ୍ରାର ହୀରକ ଜୟନ୍ତୀରେ ଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯାଇ ପାରିବ ଏବଂ ରାଜ ଦରବାରକୁ ରାଜସ୍ଥାନ ର ରାଜ ମହଲ ରୂପ ଦିଆଯାଇଛି ।

ସେହିପରି ସ୍ଥାନୀୟ ଲୋକମଣ୍ଡପ ପଡିଆ ଠାରେ ରଙ୍ଗମହଲ ନିର୍ମାଣ କରାଯାଉଥିବା ବେଳେ ବିଭିନ୍ନ ଛକ ଓ ପ୍ରବେଶ ପଥରେ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଛି । ଏଥିସହିତ ସାରା ସହରକୁ ରଙ୍ଗୀନ ଆଲୁଅରେ ସଜ୍ଜିତ କରାଯାଇଛି। ଏପଟେ କଳାକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ ଦଳ ଧନୁଯାତ୍ରା ଅପେକ୍ଷାରେ ରହିଛନ୍ତି । ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ୧୫୪ଟି ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ। ୨ ବର୍ଷ ଯାତ୍ରା ବନ୍ଦ ଥିବାରୁ ଏଥର ଯାତ୍ରା ଖୁବ ଜମିବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.