ବରଗଡ଼ ଧନୁଯାତ୍ରା, କିଷନ ବିର୍ତ୍ତିଆ ହେବେ ବଳରାମ

Published By : Prameya-News7 Bureau | December 13, 2022 IST

ବରଗଡ଼ ୧୩।୧୨ : ବରଗଡ଼ ଧନୁଯାତ୍ରା ମହୋତ୍ସବର ହୀରକ ଜୟନ୍ତୀ ପାଳନ ପାଇଁ ଗୋପପୁର କମିଟି ତରଫରୁ ପୁନର୍ବାର କଳାକାର ଚୟନ ଶିବିରର ଆୟୋଜନ ହୋଇଥିଲା । ଏଥିରେ କିଷନ ବିର୍ତ୍ତିଆଙ୍କୁ ବଳରାମ ଭୂମିକା ପାଇଁ ମନୋନୀତ କରାଯାଇଛି ।

ଗୋପପୁର କମିଟି ତରଫରୁ କଳାକାର ଚୟନ କରାଯାଇ ଅଭ୍ୟାସ ଆଖଡ଼ା ମୂଳ ହୋଇଯାଇଥିବା ବେଳେ ବଳରାମ ଭୂମିକା ପାଇଁ ମନୋନୀତ ହୋଇ କିଛିଦିନ ଅଭ୍ୟାସ ଜାରି ରଖିଥିବା ଶିଶୁ କଳାକାର ଶ୍ରେୟସ ପୂଜାରୀଙ୍କ ଗତ ଶୁକ୍ରବାର ଅପରାହ୍ନରେ ଆକସ୍ମିକ ବିୟୋଗ ହୋଇଯାଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଥିବା ବେଳେ ଧନୁଯାତ୍ରା ଆୟୋଜକମାନଙ୍କୁ ମଧ୍ୟ ନିରାଶ କରିଥିଲା । ହେଲେ ଯାତ୍ରା ଥୟ ଥିବାରୁ ଶୋକଗ୍ରସ୍ତ ଗୋପପୁର କମିଟି ଇଚ୍ଛା ନଥାଇବି ପୁର୍ନବାର କଳାକାର ଚୟନ ଶିବିରର ଆୟୋଜନ କରି ବଳରାମ ଭୂମିକା ପାଇଁ କିଷନଙ୍କୁ ଚୟନ କରିଥିଲେ । ଏନେଇ ଅମ୍ବାପାଲି ସ୍କୁଲରେ ଅମ୍ବାପାଲି ଗ୍ରାମବାସୀ, ଗୋପପୁର କମିଟିର ସମସ୍ତ ସଦସ୍ୟ, ଧନୁଯାତ୍ରା କମିଟିର ସଦସ୍ୟମାନଙ୍କୁ ନେଇ ଆୟୋଜିତ ଗୋପପୁର କମିଟିର ବୈଠକରେ କିଷନଙ୍କ ନାମ ଉପରେ ମୋହର ମରାଯାଇଥିଲା ।

ସେହିପରି କିଷନ୍‌ ଖୁବଶୀଘ୍ର ଆଖଡ଼ା ଶାଳରେ ଅଭ୍ୟାସ ଆରମ୍ଭ କରିବେ ବୋଲି କମିଟି ତରଫରୁ ଘୋଷଣା କରାଯାଇଥିଲା । ଅଧାରୁ ବନ୍ଦ ହୋଇଯାଇଥିବା ଗୋପପୁର ଆଖଡ଼ା ପୁଣିଥରେ ଆରମ୍ଭ ହେବା ଥୟ ହୋଇଯାଇଥିଲେ ମଧ୍ୟ ଶ୍ରେୟସଙ୍କ ବିୟୋଗ ଗ୍ରାମବାସୀଙ୍କ ପୂର୍ବ ସରାଗକୁ ଫେରାଇପାରିନାହିଁ ।

ସୂଚନାଯୋଗ୍ୟ ଯେ, ଅମ୍ବାପାଲିର ଭୀମସେନ ବିର୍ତ୍ତିଆ ଓ ଭାରତୀ ବିର୍ତ୍ତିଆଙ୍କ ପୁତ୍ର କିଷନ ବର୍ତ୍ତମାନ ସମଲେଶ୍ୱରୀ ନୋଡ଼ାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ପୂର୍ବରୁ ଗୋପାଳ ବାଳକ ଭୂମିକାରେ ଅଭିନୟ କରିଥିବା କିଷନଙ୍କୁ ନେଇ ଯାତ୍ରାପ୍ରେମୀମାନେ ଉତ୍ସାହିତ ହୋଇପଡ଼ିଥିଲେ ମଧ୍ୟ ଶ୍ରେୟସଙ୍କ ବିୟୋଗ ଜନିତ ଶୋକରୁ ବରଗଡ଼ବାସୀ ଉଭୁରିପାରୁନାହାନ୍ତି । ଚଳିତବର୍ଷ ୭୫ ତମ ବର୍ଷପୂର୍ତ୍ତି ହୀରକ ଜୟନ୍ତୀ ଯାତ୍ରାରେ ସମାଟ ମହାପାତ୍ର ପୂର୍ବବତ କୃଷ୍ଣ ଭୂମିକମାରେ ଅଭିନୟ କରିବାକୁ ଥିବା ବେଳେ କିଷନ ବଳରାମ ଭୂମିକା ନିର୍ବାହ କରିବା ସ୍ପଷ୍ଟ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.