ବରଗଡ଼ ୧୬/୧୦ : ଜିଲ୍ଲା ପାଇଁ ୪୫୩ କୋଟି ୧୧ ଲକ୍ଷର ଏକ ବଡ଼ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରବିବାର ସ୍ଥାନୀୟ ରୋୟାଲ ପେଲେସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲା ପାଇଁ ଏହି ଭେଟି ଦେଇଥିବାରୁ ସେ ନବୀନଙ୍କୁ ଧନ୍ୟବାଦ ଦେଇଥିଲେ। ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଏବଂ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସାଧୁ ଚରଣ ନେପାକ ଜିଲ୍ଲାର ୩ଟି ବ୍ଲକର ପାନୀୟ ଜଳ ସମସ୍ୟା ଦୂର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ବରଗଡ଼ ଜିଲ୍ଲାର ଭଟଲି ବ୍ଲକ, ଷୋହେଲା ବ୍ଲକ ଓ ଆମ୍ବାଭୋନା ବ୍ଲକ ମରୁଡ଼ି ଅଞ୍ଚଳ ହୋଇଥିବା ବେଳେ ଏହି ୩ଟି ବ୍ଲକର ୫୮ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୩୧୬ ଟି ଗାଁରେ ବସବାସ କରୁଥିବା ପାଖାପାଖି ୨ ଲକ୍ଷ୯୫ ହଜାର ୨୯୦ ଲୋକଙ୍କୁ ଶୁଦ୍ଧ ଓ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ନବୀନ ପଟ୍ଟନାୟକ ୪୫୩ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ହୀରାକୁଦ ନଦୀବନ୍ଧରୁ ଏହି ପାନୀୟ ଜଳ ସମସ୍ତ ବ୍ଲକକୁ ପହଞ୍ଚିବ ବୋଲି କୁହାଯାଇଛି। ଏହି ବଡ଼ ପ୍ରକଳ୍ପଗୁଡ଼ିକୁ ଆସନ୍ତା ଦୁଇ ବର୍ଷ ଭିତରେ ପୁରା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ବୋଲି ଭଟଲି ବିଧାୟକ ସୁଶାନ୍ତ ସିଂ ଜଣାଇଛନ୍ତି। ଏହି ଜଳ ପ୍ରକଳ୍ପରେ ଆମ୍ବାଭାନା ବ୍ଲକର ୧୫ଟି ଗ୍ରାମ ପଞ୍ଚାୟତର ୧୦୪ଟି ଗାଁର ୬୫ ହଜାର ୭୧୫ ଲୋକ, ଭଟଲି ବ୍ଲକ ଅନ୍ତର୍ଗତ ୧୬ଟି ପଞ୍ଚାୟତର ୮୪ ଟି ଗାଁର ୯୦ ହଜାର ୩୨୧ ଲୋକ ଏବଂ ଷୋହେଲା ବ୍ଲକର ୨୭ଟି ଗ୍ରାମ ପଞ୍ଚାୟତର ୧୨୮ ଟି ଗାଁର ପ୍ରାୟ ୧ଲକ୍ଷ 39 ହଜାର ୨୫୪ ଲୋକ ଏହି ଜଳ ପ୍ରକଳ୍ପ ଦ୍ଵାରା ଉପକୃତ ହେବେ।