ବାରବାଟୀ ଟି-୨୦: ଜୁନ ୧ରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ, ଜଣେ ବୁକିଂ କରି ପାରିବେ ଦୁଇଟି ଟିକେଟ୍

Published By : Prameya-News7 Bureau | May 30, 2022 IST

କଟକ: ଆଇପିଏଲ ସରିବା ପରେ ଜୁନ ୯ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଛି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍। ସିରିଜର ଦ୍ଵିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଜୁନ ୧୨ରେ ଖେଳାଯିବ। ଏ ନେଇ ଓଡିଶା କ୍ରିକେଟ୍ ଆସୋସିଏସନ(ଓସିଏ)ତରଫରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶତ ପ୍ରତିଶତ ଦର୍ଶକ କ୍ଷମତା ସହ ଏହି ମୁକାବିଲା ଖେଳାଯିବ। ବାରବାଟୀରେ ଦର୍ଶକ କ୍ଷମତା ୪୪ ହଜାରରୁ ଅଧିକ ରହିଛି। ଏହି କ୍ରମରେ ଜୁନ ୧ରେ ଅନଲାଇନ୍ ଟିକେଟ୍ ବିକ୍ରି ହେବାକୁ ଯାଉଛି। କେଉଁ ଆପ୍ ଏବଂ କେଉଁ ଓ୍ଵେବ୍ ସାଇଟ୍‌କୁ ଯାଇ ଟିକେଟ୍ ବୁକିଂ କରି ପାରିବେ ସେ ନେଇ ସୋମବାର ସୂଚନା ଦେଇଛି ଓସିଏ।

ପେଟିଏମ୍ ଇନସାଇଡ୍ ଆପ୍, ପେଟିଏମ ଆପ୍‌ ଜରିଆରେ ଦର୍ଶକ ଟିକେଟ୍ ବୁକିଂ କରି ପାରିବେ। www.insider.in ଓ୍ଵେବସାଇଟ୍‌ରେ ଟିକେଟ୍ ଉପଲବ୍ଧ ରହିବ। ଜୁନ ୧ ପୂର୍ବାହ୍ନ ୧୧ଟାରୁ ୫ ହଜାର ଟିକେଟ୍ ବିକ୍ରି କରାଯିବ। କେବଳ ଗ୍ୟାଲେରୀ ନଂ ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ ପାଇଁ ଟିକେଟ୍ ଉପଲବ୍ଧ ରହିବ। ଜଣେ ବ୍ୟକ୍ତି ୨ଟି ଟିକେଟ୍ ବୁକିଂ କରି ପାରିବ ଏବଂ ଏନେଇ ପରିଚୟ ପତ୍ର ଦେବାକୁ ପଡିବ। ଜୁନ ୯ରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇ ଜୁନ ୧୦ ତାରିଖ ଯାଏଁ ଚାଲିବ। ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଓସିଏ କର୍ତ୍ତୃପକ୍ଷ।

ପ୍ରାୟ  ଅଢେଇ ବର୍ଷ ପରେ ବାରବାଟୀରେ ଅନ୍ତର୍ଜାତୀୟ ମୁକାବିଲା ଖେଳାଯାଉଥିବାରୁ ଓଡିଶା କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ମ୍ୟାଚ୍ ଆୟୋଜନ ନେଇ ଉନ୍ନତ ମାନର ବ୍ୟବସ୍ଥା କରାଯାଉଛି। ଯଦିଓ ବର୍ଷା ହୁଏ ଅଳ୍ପ ସମୟରେ ପଡିଆ ସୁଖାଇବା ପାଇଁ ଲଣ୍ଡନରୁ ଅତ୍ୟାଧୁନିକ ଯନ୍ତ୍ର ମଗାଯାଇଛି। ଏଥିପାଇଁ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରୁ ୩୦ କର୍ମଚାରୀଙ୍କୁ ଡକାଯାଇଛି। ପ୍ରଥମ ଥର ଏଲଇଡି ଫ୍ଲଡ୍ ଲାଇଟ୍‌ର ବ୍ୟବସ୍ଥା କରାଯାଇଛି। ସାତ ନମ୍ବର ଗ୍ୟାଲେରୀ କାମ ସରି ସାରିଛି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ଜୁନ ୯ରୁ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଜୁନ ୯ ଦିଲ୍ଲୀ, ଦ୍ଵିତୀୟ ଜୁନ ୧୨ କଟକ, ତୃତୀୟ ଜୁନ ୧୪ ବିଶାଖାପଟଣା, ଚତୁର୍ଥ ମ୍ୟାଚ୍ ଜୁନ ୧୭ ରାଜକୋଟ୍ ଏବଂ ପଞ୍ଚମ ମ୍ୟାଚ୍ ଜୁନ ୧୯ରେ ବେଙ୍ଗାଲୁରୁରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.