ବାରବାଟୀ ଟି-୨୦; ସରିଲା ପଡିଆ ଓ ପିଚ୍ ପ୍ରସ୍ତୁତି କାମ, ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 06, 2022 IST

କଟକ; ବାରବାଟୀ ମ୍ୟାଚ୍‌କୁ ଆଉ ମାତ୍ର ଛଅ ଦିନ ବାକି ଥିବା ବେଳେ ମ୍ୟାଚ ପାଇଁ ପଡିଆ ଓ ପିଚର ସମସ୍ତ କାର୍ଯ୍ୟ ଶେଷ ହୋଇଛି। ତେବେ ଟି ଟ୍ଵେଣ୍ଟି ମ୍ୟାଚ ହୋଇଥିବାରୁ ବ୍ୟାଟସମ୍ୟାନଙ୍କୁ ସୁହାଇଲା ଭଳି ପିଚ୍ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ମୁଖ୍ୟ କ୍ୟୁରେଟର। ସେପଟେ ମ୍ୟାଚ ପାଇଁ ଆସନ୍ତା କାଲି ଠାରୁ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ବିକ୍ରି ଆରମ୍ଭ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ। ସେପଟେ ବାରବାଟୀ ଟି-୨୦ ପାଇଁ ପ୍ରଥମ ଟିକେଟ୍ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓସିଏ ସଭାପତି ଏବଂ ସଂପାଦକ ସୋମବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍ ପ୍ରଦାନ କରିଛନ୍ତି।  

ବାରବାଟୀ ଟି 20 ପାଇଁ ପ୍ରସ୍ତୁତି ଜୋରଦାର। ମ୍ୟାଚ୍‌କୁ ଆଉ ମାତ୍ର ଛଅ ଦିନ ବାକିଥିବା ବେଳେ ବାରବାଟୀ ପିଚ୍ ଓ ଆଉଟ ଫିଲ୍ଡ କାମ ସମ୍ପୂର୍ଣ୍ଣ ଶେଷ ହୋଇଛି। ଟି 20 ମ୍ୟାଚ ହୋଇଥିବାରୁ କିଭଳି ଭଲ ସ୍କୋର ହେବ ଏବଂ ପିଚ୍‌ ବ୍ୟାଟସମ୍ୟାନଙ୍କୁ ସୁହାଇବ ସେ ନେଇ ପିଚ୍‌କୁ ପ୍ରସ୍ତୁତ କରାଯାଇଛି। ଆଉଟଫିଲ୍ଡ ମଧ୍ୟ ଚଳିତଥର ପ୍ରଥମ ଥର କରି ବାଲିରେ ପ୍ରସ୍ତୁତ କରାଯାଇଛି। ଯେଭଳି ବର୍ଷା ହେଲେ ଆଉ ପଡିଆରେ ପାଣି ଜମି ରହିବ ନାହିଁ। ମ୍ୟାଚ୍ ସମୟରେ ବର୍ଷା ହେଲେ ପିଚ୍‌କୁ ଘୋଡାଇବା ପାଇଁ ନୂତନ ହୋଭର କଭର ଅଣାଯାଇଛି। ସେହି ଭଳି ଆଉଟ ଫିଲ୍ଡରୁ ପାଣି ଶୁଖାଇବା ପାଇଁ ନୂଆ କରି ସୁପର ସପରକୁ ବ୍ୟବହାର କରାଯିବ ଯାହା ଦ୍ବାରା ତିରିଶ ମିନଟ ମଧ୍ୟରେ ଫିଲ୍ଡ ରୁ ପାଣି ଶୁଖା ଯାଇ ପାରିବ ବୋଲି ପିଚ କ୍ୟୁରେଟର କହିଛନ୍ତି।

ଅନ୍ୟ ପଟେ ବାରବାଟୀ ଟି 20 ପାଇଁ ଅନଲାଇନ ଟିକେଟ ବିକ୍ରି ଶେଷ ହୋଇଥିବା ବେଳେ ଆସନ୍ତା କାଲି ଓସିଏ ଅନୁବନ୍ଧିତ ସ୍କୁଲ,କଲେଜ ଓ କ୍ଲବ ମାନଙ୍କୁ ଟିକେଟ ବିକ୍ରି କରାଯିବ। ମୋଟ ଆଠ ହଜାର ଟିକେଟ ଓସିଏ ଅନୁବନ୍ଧିତ ସଂସ୍ଥା କୁ ବିକ୍ରି କରାଯାଉଥିବା ବେଳେ କାଉଣ୍ଟରରେ ବାର ହଜାର ଟିକେଟ ବିକ୍ରି କରାଯିବ। ଆସନ୍ତା ନଅ ତାରିଖରେ ଦର୍ଶକ ମାନେ ମ୍ୟାଚ ପାଇଁ ବାରବାଟୀ ଟିକେଟ କାଉଣ୍ଟରରୁ ଟିକେଟ କିଣି ପାରିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ। ଆସନ୍ତା ମ୍ୟାଚ ପାଇଁ ବାରବାଟୀକୁ ସମ୍ପୂର୍ଣ୍ଣ ନବକଳେବର କରାଯାଉଥିବା ବେଳେ ,ଆସନ୍ତା ଦଶ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.