ଏବେ ବିଦେଶୀ ଓକିଲ ମଧ୍ୟ ଭାରତରେ କରିପାରିବେ ଆଇନ୍ ପ୍ରାକ୍ଟିସ୍, ବିସିଆଇ ଦେଲା ଅନୁମତି
15/03/2023 at 7:12 PM

ନୂଆଦିଲ୍ଲୀ, ୧୫/୦୩: ବିଦେଶୀ ଓକିଲ ଏବଂ ବିଦେଶୀ ଆଇନ୍ ସଂସ୍ଥା ଏବେ ଭାରତରେ ଆଇନ୍ ପ୍ରାକ୍ଟିସ୍ କରିପାରିବେ। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ଏଥିପାଇଁ ରାଜି ହୋଇଛି। ଏହାକୁ ନେଇ ବିସିଆଇ ପଞ୍ଜିକରଣ ନିୟମ ମଧ୍ୟ ଜାରି କରିଛି। ତେବେ ବିସିଆଇର ଏହି ନିଷ୍ପତ୍ତି ପରେ ବିଦେଶୀ ଓକିଲ ଏବଂ ଆଇନ୍ ସଂସ୍ଥାଗୁଡ଼ିକ ବିଦେଶୀ ଆଇନ୍, ଅନ୍ତରାଷ୍ଟ୍ରୀୟ ଆଇନ୍ ପ୍ରସଙ୍ଗ ଏବଂ ମଧ୍ୟସ୍ଥତା ମାମଲା ଭଳି କ୍ଷେତ୍ରରେ ପ୍ରାକ୍ଟିସ୍ କରିପାରିବେ।
ରିପୋର୍ଟ ଅନୁଯାୟୀ, ବିସିଆଇ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ନିୟମ, ୨୦୨୨ ଆଣିଛି । ଯାହାଦ୍ବାରା ଭାରତରେ ବିଦେଶୀ ଓକିଲ ଏବଂ ବିଦେଶୀ ଆଇନ୍ ସଂସ୍ଥାଙ୍କ ପଞ୍ଜୀକରଣ କରାଯାଇପାରିବ ଏବଂ ଅନ୍ତର୍ଜାତୀୟ ଓକିଲଙ୍କୁ ଭାରତରେ ପ୍ରାକ୍ଟିସ୍ କରିପାରିବେ।
ବିସିଆଇ ଅନୁଯାୟୀ ଏହାଦ୍ବାରା ଆଇନ ବୃତ୍ତି ଆହୁରି ମଜବୁତ ହେବ ଏବଂ ଏହା ଭାରତ ଏବଂ ବିଦେଶୀ ଓକିଲ ଉଭୟଙ୍କ ପାଇଁ ଲାଭକାରୀ ହେବ। ବିସିଆଇ ଆହୁରି କହିଛି ଏହି ନିଷ୍ପତ୍ତି ଯୋଗୁଁ ଭାରତରେ ଆଇନ୍ ପ୍ରାକ୍ଟିସ୍ ଉପରେ ପ୍ରଭାବ ପଡ଼ିବାନାହିଁ କାରଣ ଏହାକୁ ସଂପୂର୍ଣ୍ଣ ଭାବରେ ନିୟମ ସୀମା ମଧ୍ୟରେ ଲାଗୁ କରାଯିବ। ଏହାଦ୍ବାରା ପ୍ରତ୍ୟକ୍ଷ ବିଦେଶୀ ନିବେଶ ଏବଂ ଭାରତକୁ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟିକ ମଧ୍ୟସ୍ଥତାର କେନ୍ଦ୍ର କରିବାରେ ମଧ୍ୟ ସାହାଯ୍ୟ କରିବ।
ସୂଚନାଥାଉ, ପୂର୍ବରୁ ବିସିଆଇ ଏହା ବିରୋଧରେ ଥିଲା। ଅବଶ୍ୟ ୨୦୦୭-୨୦୧୪ ମଧ୍ୟରେ ବିସିଆଇ ସବୁ ରାଜ୍ୟର ବାର୍ କାଉନସିଲ୍ ଏବଂ ଅନ୍ୟ ଷ୍ଟେକ୍ହୋଲଡରଙ୍କ ମିଳିତ ବୈଠକରେ ଏହାର ସମ୍ଭାବନାକୁ ନେଇ ଚର୍ଚ୍ଚା ହୋଇଥିଲା। ଏହା ପରେ ଏବେ ଏହାକୁ ମଞ୍ଜୁରୀ ମିଳିଛି।