ପୁଣି ପାକ୍ ହଟହଟା, ଜେନେଭାରେ ଟଙ୍ଗା ହୋଇଛି ‘ପାକିସ୍ତାନ ଆର୍ମି ଅନ୍ତର୍ଜାତୀୟ ଆତଙ୍କବାଦର ଉତ୍ପତି ସ୍ଥଳ’ ବ୍ୟାନର

Published By : Prameya-News7 Bureau | February 29, 2020 IST

ଜେନେଭା ୨୯।୨: ଅନ୍ତର୍ଜାତୀୟ ସମୂଦାୟରେ ପୁଣି ହଟହଟା ହୋଇଛି ପାକିସ୍ତାନ। ସ୍ୱିଜରଲ୍ୟାଣ୍ଡ ଜେନେଭାରେ ଅନୁଷ୍ଠିତ ହେଉଥିବା ଜାତିସଂଘ ମାନବାଧିକର ପରିଷଦର ୪୩ତମ ସ୍ୱତନ୍ତ୍ର ଅଧିବେସନ ସ୍ଥଳରେ ଲାଗିଛି ଏକ ବିଶାଳ ପୋଷ୍ଟର। ଯେଉଁଥିରେ ‘ପାକିସ୍ତାନ ଆର୍ମି ଅନ୍ତର୍ଜାତୀୟ ଆତଙ୍କବାଦର ଉତ୍ପତି ସ୍ଥଳ’ ବୋଲି ଉଲ୍ଲେଖ ରହିଛି। ଏହି ପୋଷ୍ଟରଟି ବ୍ରୋକନ ଚେୟାର ସ୍ମାରକ ନିକଟରେ ଲାଗିଥିବା ବେଳେ ଏହା ଏବେ ଅନ୍ତର୍ଜାତୀୟ ଚର୍ଚ୍ଚାର କାରଣ ପାଲଟିଛି।

ତେବେ ଜେନେଭାରେ ପାକ୍ ବିରୋଧୀ ପୋଷ୍ଟର କିଛି ନୂଆ କଥା ନୁହେଁ। ଗତ ୨୦୧୯ ମସିହାରେ ପାକିସ୍ତାନ ଜାତିସଂଘ ମାନବାଧିକାର ପରିଷଦରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। ହେଲେ କାର୍ଯ୍ୟକ୍ରମ ସ୍ଥଳ ବାହାରେ ଲୋକେ  ପାକ୍ ସରକାର ଓ ସେନାର ନିର୍ଯାତନା କଥା ବଖାଣିଥିଲେ। ବଲୁଚ ମାନବାଧିକାର ପରିଷଦ ଓ ପସ୍ତୁନମାନେ ପାକ୍ ଅତ୍ୟାଚାର ବିରୋଧରେ ପୋଷ୍ଟର ଲଗାଇଥିଲେ। ବଲୁଚ ସଙ୍ଗଠନ ‘ଦ ହ୍ୟୁମାନିଟାରିୟନ କ୍ରାଇସିସ୍ ଇନ୍ ବଲୁଚିସ୍ତାନ’ ନାମରେ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଥିଲା। ଯାହା ଦେଶରେ ହେଉଥିବା ମାନବାଧିକାରର ଉଲ୍ଲଂଘନ ନେଇ ସାରା ଦୁନିଆକୁ ବାର୍ତ୍ତା ଦେଇଥିଲା।

ତେବେ ଏଥର ପାକ୍ ସରକାର ଓ ସେନା ଚଳାଇଥିବା ଦମନଲିଳାକୁ ୟୁଏନ ନିଜେ ନିୟନ୍ତ୍ରଣ କରନ୍ତୁ ବୋଲି କାର୍ଯ୍ୟକର୍ତ୍ତାମାନେ ଦାବି କରିଛନ୍ତି। ତେବେ ଏହାର ଦିନକ ପୂର୍ବରୁ ଗତ ଶୁକ୍ରବାର ଭାରତ ଶୀର୍ଷ ପାକ୍ ନେତାମାନଙ୍କୁ ଆତଙ୍କବାଦ ପ୍ରୋତ୍ସାହନ ତୁରନ୍ତ ବନ୍ଦ କରନ୍ତୁ ବୋଲି ପରାମର୍ଶ ଦେଇଥିଲା। ପାକିସ୍ତାନ ପକ୍ଷରୁ ଏହାର ଏପର୍ଯ୍ୟନ୍ତ କୌଣସି ଜବାବ ମିଳିନଥିବା ବେଳେ ଜେନେଭାରେ ପୋଷ୍ଟର ଏବେ ପାକ୍ ପାଇଁ ନୂଆ ଚିନ୍ତାର କାରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.