ମାଗଣା ନୁହେଁ ୨୦୦୦ ଟଙ୍କା ନୋଟ୍ ବଦଳାଇବା, ବ୍ୟାଙ୍କ ଅସୁଲ କରିବେ ଚାର୍ଜ ଓ GST
24/05/2023 at 8:46 PM

ନୂଆଦିଲ୍ଲୀ ୨୪।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଘୋଷଣା ପରେ ନୋଟ୍ ବଦଳାଇବା ପାଇଁ ପୁଣି ଥରେ ବ୍ୟାଙ୍କରେ ଠେଲାପେଲା ଆରମ୍ଭ ହୋଇଯାଇଛି। ଆରବିଆଇ ଗଭର୍ଣ୍ଣର ସେପ୍ଟେମ୍ବର ୩୦ ସୁଦ୍ଧା ୨ ହଜାର ଟଙ୍କା ନୋଟ ଚଳନ୍ତି ରହିବ ବୋଲି କହିଛନ୍ତି, ହେଲେ ତା ପୂର୍ବରୁ ନୋଟକୁ ବ୍ୟାଙ୍କରେ ବଦଳାଇ ଦେବା ବା ଜମା କରିଦେବା ଦରକାର ବୋଲି କହିଛନ୍ତି। ସେହି ଅନୁସାରେ ବ୍ୟାଙ୍କମାନେ ମେ ୨୩ ତାରିଖରୁ ନୋଟ ବଦଳାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଆରବିଆଇ ବ୍ୟାଙ୍କରେ ନୋଟ୍ ବଦଳାଇବା ଲାଗି କୌଣସି ସୀମା ନିର୍ଦ୍ଧାରଣ କରି ନାହାନ୍ତି। ଯାହା ଦ୍ୱାରା ଜଣେ ବ୍ୟକ୍ତି ଅନେକ ବାର ବ୍ୟାଙ୍କରେ ନୋଟ ବଦଳାଇ ପାରିବେ ଅଥବା ଜମା କରିପାରିବେ। ହେଲେ ଏଥିରେ ରୋକ ଲଗାଇବା ପାଇଁ ବ୍ୟାଙ୍କମାନେ ନୋଟ୍ ଏକ୍ସଚେଞ୍ଜ କରିବା ବଦଳେ ଫି ଅସୁଲ କରିବା ପାଇଁ ନିୟମ କରିଛନ୍ତି। ଏଥିରେ କେତେକ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଉପରେ ସର୍ଭିସ ଚାର୍ଜ ନେବା କଥା ମଧ୍ୟ ଉଠାଇଛନ୍ତି। ତେବେ ଆସନ୍ତୁ ଜାଣିବା ଏସବିଆଇ ସମେତ ଅନ୍ୟ ବଡ ବ୍ୟାଙ୍କ ଟଙ୍କା ବଦଳାଇବା ପାଇଁ କେତେ ଶୁଳ୍କ ନେବେ।

ଦେଶର ସର୍ବ ବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ମାସରେ ୩ଟି ମାଗଣା ଡିପୋଜିଟ୍ ସୁବିଧା ଦେବେ। ଏହା ପରେ ବ୍ୟାଙ୍କ ପ୍ରତି ଏକ୍ସଚେଞ୍ଜରେ ୫୦ ଟଙ୍କା ଓ ଜିଏସଟି କଥା କହିଛନ୍ତି। କୌଣସି ଗ୍ରାହକ ଯଦି ତାଙ୍କ ଖାତାରେ ୨ ହଜାର ଟଙ୍କା ନୋଟ ଜମା କରନ୍ତି ତାଙ୍କ ଲାଗି ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ହେବ। ତେବେ ମେସିନ ଜରିଆରେ କ୍ୟାସ୍ ଜମା କରିବା ଲାଗି କୌଣସି ଦେୟ ଦେବାକୁ ହେବ ନାହିଁ। ହେଲେ ଡେବିଟ୍ କାର୍ଡରେ ଜମା କଲେ ୨୨ ଟଙ୍କା ଓ ଜିଏସଟି ଦେବାକୁ ପଡିବ ବୋଲି କହିଛନ୍ତି।
ସେହିପରି ଘରୋଇ କ୍ଷେତ୍ରର ସର୍ବ ବୃହତ୍ତ ବ୍ୟାଙ୍କ ଏଚଡିଏଫସି ପ୍ରତି ମାସରେ ୪ଟି ମାଗଣା ଟ୍ରାଞ୍ଜାକ୍ସନ ଦେବାକୁ କହିଛନ୍ତି। ଏହି ଲିମିଟ ପରେ ବ୍ୟାଙ୍କ ପ୍ରତି ଟ୍ରାଞ୍ଜାକ୍ସନ ୧୫୦ ଟଙ୍କା ଶୁଳ୍କ ଆଦାୟ କରିବେ। ସୀମା ପରେ କଷ୍ଟମର ପ୍ରତି ମାସରେ ୨ ଲକ୍ଷ ଟଙ୍କା ଜମା କରିପାରିବେ। ଏହା ଉପରେ ପ୍ରତି ହଜାରକୁ ୫ ଟଙ୍କା ହିସାବରେ ୧୫୦ ଟଙ୍କା ଟ୍ୟାକ୍ସ ଦେବାକୁ ପଡିବ।

ଏଚଡିଏଫସିଙ୍କ ପରି ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ତାଙ୍କ ଗ୍ରାହକଙ୍କୁ ମାସିକ ୪ଟି ଟ୍ରାଞ୍ଜାକ୍ସନ ମାଗଣା ଦେଉଛନ୍ତି। ଏହା ପରେ ପ୍ରତି ଟ୍ରାଞ୍ଜାକ୍ସନ ୧୫୦ ଟଙ୍କା ଶୁଳ୍କ ଅସୁଲ କରିବେ। ଗ୍ରାହକ ପ୍ରତି ମାସରେ ତାଙ୍କ ସଞ୍ଚୟ ଜମା ଖାତାରେ ୧ ଲକ୍ଷ ଟଙ୍କା ଜମା କରିପାରିବେ। ଏହି ଲିମିଟ୍ ପରେ ପ୍ରତି ୧ ହଜାରକୁ ୫ ଟଙ୍କା ବା ୧୫୦ ଟଙ୍କା ଉଭୟରୁ ଯାହା ଅଧିକ ହେବ ସେହି ଅନୁସାରେ ହିସାବ କରାଯିବ ବୋଲି କହିଛନ୍ତି।
ସେହିପରି ଘରୋଇ କ୍ଷେତ୍ରର ଅନ୍ୟତମ ବ୍ୟାଙ୍କ କୋଟାକ୍ ମହିନ୍ଦ୍ରା ପ୍ରତି ମାସରେ ଗ୍ରାହକଙ୍କୁ ୫ଟି ଫ୍ରି ଟ୍ରାଞ୍ଜାକ୍ସନ ଦେବା କଥା କହିଛନ୍ତି। ଏଥିରେ ଉଭୟ ଜମା ଓ ଉଠାଣ ମଧ୍ୟ ରହିବ। ଏହି ଲିମିଟ୍ ପାରି ହେବା ପରେ ୧୫୦ ଟଙ୍କା ଲେଭି ଅସୁଲ କରାଯିବ ବୋଲି କୁହାଯାଇଛି। ଏହି ଚାର୍ଜ ଆପଣ ବ୍ୟାଙ୍କରେ ଟଙ୍କା ଜମା କଲେ ଅଥବା ମେସିନ ମାଧ୍ୟମରେ ଜମା କଲେ ଦେବାକୁ ପଡିବ।