-
ନୂଆଦିଲ୍ଲୀ ୨୫।୧୨ - ଦେବାଳିଆ ଆଇନ ବା ଆଇବିସି (ଇନ୍ସଲ୍ଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କୋଡ୍)ରେ ଆହୁରି ସଂଶୋଧନ ଆସିବ । ଏଥିପାଇଁ ମଙ୍ଗଳବାର ଏକ ଅଧ୍ୟାଦେଶରେ କେନ୍ଦ୍ର କ୍ୟାବିନେଟ୍ ମୋହର ଲଗାଇଛି । ଆଇନରେ ସଂଶୋଧନ ନିମନ୍ତେ ସରକାର ଚଳିତମାସ ୧୨ ତାରିଖରେ ଲୋକସଭାରେ ଏକ ବିଧେୟକ ଆଗତ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ମଙ୍ଗଳବାର କହିଛନ୍ତି, ଦେବାଳିଆ ଆଇନରେ ଋଣ ପ୍ରତିକାର ବ୍ୟବସ୍ଥାକୁ ଆହୁରି ସହଜ କରାଯିବା ଆବଶ୍ୟକ ଥିଲା । ସଫଳ ବିଡରମାନଙ୍କୁ ସୁରକ୍ଷିତ ରଖିବା ଜରୁରି ଥିଲା । ତେଣୁ ଆଇନରେ ସଂଶୋଧନ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଲୋକସଭାରେ ଏ ବାବଦରେ ଏକ ବିଧେୟକ ଆଗତ କରାଯାଇଥିଲା । କିନ୍ତୁ ଏହା ଗୃହୀତ ହୋଇନାହିଁ ।
ତେଣୁ ସରକାର ଏକ ଅଧ୍ୟାଦେଶ ବଳରେ ଆଇନରେ ସଂଶୋଧନ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ରହିଥିବା ପ୍ରସ୍ତାବ ମୁତାବକ ଦେବାଳିଆ ଆଇନରେ କୌଣସି ସଂସ୍ଥାର ଋଣ ପ୍ରତିକାର ବେଳେ ସଫଳ ବିଡରଙ୍କ ବିରୋଧରେ କୌଣସି ପ୍ରକାର ଆପରାଧିକ ମାମଲା ହେବନାହିଁ । ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ ।